ହଷ୍ଟେଲରେ ଛାତ୍ରୀ ଅସୁରକ୍ଷିତ: ରୁମକୁ ଡାକି ସୁପରିଟେଣ୍ଡେଣ୍ଟ…

ଗଜପତି: ହଷ୍ଟେଲରେ ଛାତ୍ରୀ କେତେ ସୁରକ୍ଷିତ ? ହଷ୍ଟେଲ ଅଧିକାରୀ ଓ କର୍ମଚାରୀ ଦେଉ ନାହାନ୍ତି ତ ଶାରୀରିକ ଓ ମାନସିକ ନିର୍ଯାତନା ? ଅସଦାଚରଣର ଶିକାର ହେଉ ନାହାନ୍ତି ତ ଛାତ୍ରୀ ? ଏମିତି ପ୍ରଶ୍ନ ଉଠିବାର କାରଣ, ଗଜପତି ଜିଲ୍ଲାରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ ଯାହା ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ଥିବା ଅନ୍ବେଷା ଛାତ୍ରୀ ନିବାସରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଅନ୍ତେବାସୀଙ୍କୁ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସଂଗୀନ ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ନିଜ କୋଠରୀକୁ ଡାକି ଅସଦାଚରଣ କରିବା ସହ ମଦ ପିଆଇ ଖରାପ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।

ବାଡ଼ ଯଦି କ୍ଷେତ ଖାଇବ ତେବେ ଭରସା କରିବ କାହାକୁ ? ସରକାରୀ ଛାତ୍ରୀ ନିବାସ ଦାୟିତ୍ଵରେ ଥିବା ଅଧିକାରୀ ଯଦି ନିର୍ଯାତନା ଦେବେ, ତେବେ ଅଭିଭାବକ ଭରସା କରିବେ କାହାକୁ ? ଛାତ୍ରୀ ନିବାସ ଏକ ଦଣ୍ଡମୁକ୍ତ ଓ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ଵେ ଅନ୍ତେବାସୀ ମାନସିକ ଓ ଶାରୀରିକ ଅତ୍ୟାଚାରର ଶିକାର ହେଉଛନ୍ତି । ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡାରେ ଥିବା ଅନ୍ଵେଷା ହଷ୍ଟେଲରୁ ଆସିଛି ଏମିତି ଅଭିଯୋଗ । ଗତ କିଛି ଦିନ ତଳେ ଏହି ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ମାଡ ମାରିବା ସହ ଧମକ ଦେଇ ଅସଦ ବ୍ୟବହାର କରାଯାଇଥିଲା । ଏନେଇ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ଯୁବ ଆଇନଜୀବୀ । ଏଥିସହ କିଛି ଦିନ ତଳେ ସୁପରିଟେଣ୍ଡେଣ୍ଟଙ୍କ ନିର୍ଯାତନା ସହି ନପାରି ଚାକିରି ଛାଡି ଚାଲି ଯାଇଥିଲେ ଜଣେ ମହିଳା ୱାର୍ଡେନ । ସେ ମଧ୍ଯ ନନ୍ଦିଘୋଷ ଟିଭି ଆଗରେ ବଖାଣିଛନ୍ତି ହଷ୍ଟେଲରେ ଚାଲିଥିବା କଳା କାରନାମାର ଗୁମର । ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଅଭିଯୋଗ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପ୍ରାଥମିକ ସ୍ତରରେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସୁରିଟେଣ୍ଡେଣ୍ଟଙ୍କୁ ହଷ୍ଟେଲ ଦାୟିତ୍ବରୁ ହଟାଇ ଦିଆଯାଇଛି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି । ଏତେଦିନ ଧରି ଜଣେ ପୁରୁଷ କର୍ମଚାରୀ ଛାତ୍ରୀ ନିବାସର ସୁପରିଟେଣ୍ଡେଣ୍ଟ ଦାୟିତ୍ଵରେ ଗୋଟିଏ ଜାଗାରେ କିପରି ରହିଲେ ? ଏ ଦିଗରେ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।