ଗୋଟିଏ ଇଞ୍ଜିନରେ ଟ୍ରାକରେ ଗଡ଼ିଲା ୩ଟି ମାଲବାହୀ ଟ୍ରେନ୍

1 min read

ଭୁବନେଶ୍ୱର: ଓଡ଼ିଶାରେ ଇତିହାସ ରଚିଲା ଭାରତୀୟ ରେଳବାଇ । ୧୭୭ଟି ମାଲଭର୍ତ୍ତି ୱାଗନକୁ ଗୋଟିଏ ଇଞ୍ଜିନରେ ଗଡ଼ାଇ ରେଳବାଇର ରେକର୍ଡ । ଦକ୍ଷିଣ-ପୂର୍ବ ରେଳପଥ ମିଶନ୍ ଆନାକୋଣ୍ଡା ସଫଳ ହୋଇଛି । ଲଜକୁରାରୁ ରାଉରକେଲା ଦେଇ ଗଡ଼ିଛି ସୁପର ଆନାକୋଣ୍ଡା ଟ୍ରେନ୍ । ଦେଶରେ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ମାଲବାହୀ ଟ୍ରେନକୁ ଏକାଠି କରି ଟ୍ରାକରେ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ଥିଲା ୧୭୭ଟି ମାଲଭର୍ତ୍ତି ୱାଗନ୍ ।

୧୫ ହଜାର ଟନର କୋଇଲା ଭର୍ତ୍ତି କାର୍ଗୋ ବିଳାସପୁର ଓ ଚକ୍ରଧରପୁର ଡିଭିଜନ ମଧ୍ୟରେ ସଫଳତାର ସହ ଟ୍ରାଏଲ କରାଯାଇଛି । ୧୭୭ଟି ୱାଗନରେ ୧ କୋଟି ଟଙ୍କାରୁ ଅଧିକ କୋଇଲା ଥିଲା । ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗର ଗଡ଼ିଥିଲା । ବ୍ରଜରାଜନଗର ନିକଟ ଲଜକୁରା ଷ୍ଟେସନରୁ ଟ୍ରେନଟି ୩ ଘଣ୍ଟା ୧୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା ।

୩ଟି ମାଲବାହୀ ଟ୍ରେନକୁ ଗୋଟିଏ ଇଞ୍ଜିନରେ ସଫଳତାର ସହ ଟ୍ରାକରେ ଗଡ଼ାଇବା ଏହା ପ୍ରଥମ ଘଟଣା । ଏଥିରେ ୬ ହଜାର ହର୍ସପାୱାର କ୍ଷମତା ବିଶିଷ୍ଟ ଇଲେଟକ୍ଟ୍ରିକ୍ ଲୋକୋମୋଟିଭ୍ସ ଇଞ୍ଜିନ୍ ଥିଲା । ଏହା ପୂର୍ବରୁ ରେଲୱେ ଖାଲି ରାକକୁ ନେଇ ସମାନ ପରୀକ୍ଷଣ ମଧ୍ୟ କରିଥିଲା ।

ଏହି ରୁଟରେ ସାଧାରଣତଃ ଟ୍ରେନ ୩ରୁ ସାଢ଼େ ୩ ଘଣ୍ଟା ମଧ୍ୟରେ ପହଞ୍ଚିଥାଏ । ଏବେ ପାସେଞ୍ଜର ଟ୍ରେନ୍ ଚାଲୁନଥିବାରୁ ମାଲବାହୀ ଶୀଘ୍ର ପହଞ୍ଚି ପାରିଥିବା ରେଲୱେ ଅଧିକାରୀ କହିଛନ୍ତି । ପୂର୍ବରୁ ୨ଟି ମାଲବାହୀକୁ ଏକତ୍ର ସଂଯୋଗ କରି ଟ୍ରାଏଲ କରାଯାଇଥିଲା । ୧୭୭ ୱାଗନ ବିଶିଷ୍ଟ ମାଲବାହୀକୁ ଲୋକୋ ପାଇଲଟ୍ ରନ୍ଧୀର କୁମାର ଚଳାଇଥିବା ବେଳେ ଏଥିରେ ଗାର୍ଡ ଥିଲେ ଏସ୍. ମଲ୍ଲିକ । ମୋତ୍ ୬ ଜଣ ଲୋକୋ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କୁ ନେଇ କ୍ରିଉ ଟିମ୍ ଗଠନ କରାଯାଇଥିଲା ।

Leave a Reply