ପୁରୀ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ

1 min read

ପୁରୀ: ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ନୂଆ ସାଲ ଓ ଅଙ୍କର ହୋଇଛି ପ୍ରବେଶ । ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ଭାବରେ ବଞ୍ଚି ରହିଛି ପରମ୍ପରା । ଏହି ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୮ ଅଙ୍କର ପ୍ରବେଶ ହୋଇଥିବାବେଳେ ଚଳିତବର୍ଷ ମହାରାଜ ଗଜପତିଙ୍କ ୧୪୩୨ ସାଲ ପ୍ରବେଶ ହୋଇଛି ।

ଏହି ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆର ବିଶେଷ ପର୍ବ ପାଳିତ ହୋଇଥିଲା ।

ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦନ କରାଯାଇଥିଲା । ଏହି ଅବସରରେ ଶ୍ରୀନହର ପକ୍ଷରୁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା  l ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥିଲେ । ଏହି ଅବସରରେ ପରିବେଶ ସନ୍ତୁଳିନ ପାଇଁ ଶ୍ରୀକ୍ଷେତ୍ରରେ ଥିବା ମଠ ମହନ୍ତମାନଙ୍କ ପକ୍ଷରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ରୁଦ୍ରାକ୍ଷ ବୃକ୍ଷ ପ୍ରଦାନ କରାଯାଇଥିଲା ।