ସନି ଲିଓନିଙ୍କ ନାମରେ ମାସ ମାସ ଧରି ନେଉଥିଲେ ୧୦୦୦ ଟଙ୍କାର ଭତ୍ତା !
ରାୟପୁର: ଛତିଶଗଡ ସରକାରଙ୍କ ମହତାରି ବନ୍ଦନ ଯୋଜନାରେ ଭତ୍ତା ନେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ପ୍ରତି ମାସ ଏକ ହଜାର ଲେଖାଏଁ ଭତ୍ତା ନିଅନ୍ତି ସନ୍ନି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସନ୍ନି କାହିଁକି ମାସକୁ ହଜାରେ ଟଙ୍କା ଭତ୍ତା ନେଉଛନ୍ତି ? ଏମିତି ଏକ ଘଟଣା ଛତିଶଗଡର ବସ୍ତରରୁ ଲୋକଲୋଚନକୁ ଆସିଛି ।
ଏଭଳି ଅନିୟମିତତା ଘଟଣା ସାମନାକୁ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଅଧିକାରୀ । ଏହା ସହ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହତାରୀ ବନ୍ଦନ ଯୋଜନାରେ ସନ୍ନି ଲିଓନିଙ୍କୁ ଏକ ହଜାର ଟଙ୍କା ଭତ୍ତା ମିଳିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ଯେ ଏହି ଆବେଦନ ତାଲୁର ଗାଁର ଅଙ୍ଗନୱାଡି କର୍ମକର୍ତ୍ତା ବେଦମତି ଯୋଶୀଙ୍କ ଆଇଡିରୁ ରେଜିଷ୍ଟ୍ରର ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ ବୀରେନ୍ଦ୍ର ଯୋଶୀ ନାମକ ବ୍ୟକ୍ତି ଜାଲିଆତି କରି ମିଳୁଥିବା ଭତ୍ତା ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଉଥିଲେ ।
ବୀରେନ୍ଦ୍ର ଯୋଶୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ମହତାରୀ ବନ୍ଦନ ଯୋଜନା ୨୦୨୪ରେ ଛତିଶଗଡ ସରକାର ଆରମ୍ଭ କରିଥିଲେ । ଆର୍ଥିକ ରୂପେ ଦୁର୍ବଳ ବିବାହିତ ମହିଳାଙ୍କୁ ପ୍ରତି ମାସରେ ଏହି ଯୋଜନା ମୁତାବକ ଏକ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ଛତିଶଗଡ ନିବାସୀ ୨୧ ବର୍ଷରୁ ଅଧିକ ବୟସ୍କ ଗରିବ ସୀମା ରେଖା ତଳେ ଥିବା ମହିଳାଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଥାଏ ।