ସୁନୀତା ଓ୍ବିଲିୟମ୍ସ କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟାର ସାମ୍ନା କରିବାର ସମ୍ଭାବନା ରହିଛି?
1 min read
ନୂଆଦିଲ୍ଲୀ: ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମହାକାଶ ଯାତ୍ରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ ଓ୍ବିଲମୋର ୯ ମାସ ପରେ ପୃଥିବୀକୁ ଫେରିଆସିଛନ୍ତି । ବୁଧବାର ଦିନ ତଡ଼କେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡ଼ାର ତଟରେ ସୁନୀତା ସଫଳତାର ସହ ଅବତରଣ କରିଥିଲେ । ୨୦୨୪ ମସିହା ଜୁନ ୫ ରେ ସୁନୀତାଙ୍କ ମହାକାଶ ମିଶନ ଆରମ୍ଭ ହୋଇଥିଲା, ଯାହା କି କେବଳ ଆଠଦିନର ଥିଲା । ମାତ୍ର ବୈଷୟିକ ତ୍ରୁଟି କାରଣରୁ ସେ ୯ ମାସ ପର୍ଯ୍ୟନ୍ତ ମହାକାଶରେ ଫସି ରହିଥିଲେ । ତେଣୁ ମହାକାଶରେ ଦୀର୍ଘ ସମୟ ବିତାଇବା ପରେ ତାଙ୍କର ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିପାରେ ।
ସବୁଠାରୁ ଚିନ୍ତାଚନକ କଥା ହେଉଛି, ହାଡ଼ ଓ ମାଂସପେଶୀ ଦୁର୍ବଳ ହେବା । ISSରେ ମହାକାଶ ଯାତ୍ରୀ ମାଇକ୍ରୋଗ୍ରାଭିଟିରେ ପହଁରିଥାନ୍ତି, ଯାହାକି ସେମାନଙ୍କର ଶରୀର ଉପରେ ପ୍ରଭାବ ପକାଇଥାଏ । ପୃଥିବୀରେ ଆମ ଶରୀରକୁ ସର୍ବଦା ଗୁରୁତ୍ବାକର୍ଷଣ ବିପକ୍ଷରେ କାମ କରିବାକୁ ପଡ଼ିଥାଏ । ଫଳରେ ଆମର ମାଂସପେଶୀ ଓ ହାଡ଼କୁ କ୍ରମାଗତ ବ୍ୟାୟାମ ମିଳିଥାଏ । ମାତ୍ର ମହାକାଶରେ ଏହି ପ୍ରତିରୋଧ ବିନା, ମାଂସପେଶୀର ସାମର୍ଥ୍ୟ ଓ ହାଡ଼ର ଘନତ୍ବ ହ୍ରାସ ପାଇବାରେ ଲାଗିଥାଏ । କାରଣ ଶରୀରକୁ ନିଜର ଓଜନ ସହ୍ୟ କରିବାର ଆବଶ୍ୟକତା ନଥାଏ ।
ମହାକାଶ ଯାତ୍ରୀ ପ୍ରତି ମାସରେ ନିଜର ହାଡ଼ର ୧ ପ୍ରତିଶତ ହରାଇପାରନ୍ତି । ବିଶେଷ କରି ଅଣ୍ଟା, ପଛଭାଗ ଓ ଜଙ୍ଘର ହାଡ଼ ପ୍ରଭାବିତ ହୋଇଥାଏ । ପୃଥିବୀକୁ ଫେରିବା ପରେ ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ିଯାଇଥାଏ । ଏହାକୁ କମ କରିବା ପାଇଁ ମହାକାଶ ଯାତ୍ରୀ ISSରେ କଠିନ ପରିଶ୍ରମ କରିଥାନ୍ତି । ମହାକାଶରେ ଯାତ୍ରୀ ୧-୨ ଇଞ୍ଚ ଲମ୍ବା ହୋଇପାରନ୍ତି କାରଣ ସେମାନଙ୍କର ମେରୁଦଣ୍ଡର ହାଡ଼ ଲମ୍ବା ହୋଇପାରେ । ମାତ୍ର ଏହି ଉଚ୍ଚତା ପୃଥିବୀକୁ ଫେରିବା ପରେ କମ ହୋଇଯାଏ । ISSରେ ଅଧିକ ଦିନ ରହିବା ଫଳରେ ମହାକାଶ ଯାତ୍ରୀଙ୍କ ହାର୍ଟ ପ୍ରଭାବିତ ହୋଇପାରେ । ହୃଦୟର ଆକାର ମଧ୍ୟ ବଦଳି ଯାଇଥାଏ । ମହାକାଶ ଯାତ୍ରୀଙ୍କ ହୃଦୟର ଆକାର ପାଖାପାଖି ୯.୪ ପ୍ରତିଶତ ଅଧିକ ଗୋଲ ହୋଇଯାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।