ସସପେନ୍ସରେ ମହାକାଶଚାରିଣୀ ସୁନୀତା ଓ୍ବିଲିୟମସ ଓ ଓ୍ବିଲମୋରଙ୍କ ଭବିଷ୍ଯତ

1 min read

ନନ୍ଦିଘୋଷ ବ୍ୟୁରୋ: ସସପେନ୍ସରେ ମହାକାଶଚାରିଣୀ ସୁନୀତା ଓ୍ବିଲିୟମସ ଓ ବଚ୍ ଓ୍ବିଲମୋରଙ୍କ ଭବିଷ୍ଯତ । ଦିନକୁ ଦିନ ଘୁଞ୍ଚୁଛି ସେମାନଙ୍କ ଫେରିବାର ସମୟ । ତେବେ ଅତୀତରେ ଦୁଇ ଦୁଇଟି ଦୁର୍ଘଟଣା ସତ୍ତ୍ବେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କେତେକ ଭୁଲ୍ ଯୋଗୁ ଏହି ବିପଦ ସୃଷ୍ଟି ହୋଇଛି ବୋଲି କହିଛନ୍ତି- ସଂସ୍ଥାର ମୁଖ୍ଯ ବିଲ୍ ନେଲସନ । ସେ କହିଛନ୍ତି ୨୦୦୩ ଫେବୃଆରୀ ୧ରେ ସ୍ପେସ ସଟଲ କଲମ୍ବିଆ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭାରତୀୟ ଆମେରିକୀୟ ମହାକାଶଚାରିଣୀ କଳ୍ପନା ଚାଓ୍ବଲା ଓ ଅନ୍ଯ ୬ ଯାତ୍ରୀ । ସେହିପରି ୧୯୮୬ ଜାନୁଆରୀ ୨୮ରେ ସ୍ପେସ ସଟଲ ଚାଲେଞ୍ଜର ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ ୧୪ ଯାତ୍ରୀ ।

ଏହା ସତ୍ତ୍ବେ ନାସାର ବୁଦ୍ଧି ଉଦୟ ହେଲା ନାହିଁ । ଜଣେ ମହାକାଶଚାରୀ ହୋଇଥିବା ସହ ଅତୀତର ଦୁଇଟି ଦୁର୍ଘଟଣାର ତଦନ୍ତ କମିଟିର ସଦସ୍ଯ ଥିବା ନେଲସନ କହିଛନ୍ତି- ନାସାର ତ୍ରୁଟି ଯୋଗୁ ବୋଇଂ ଷ୍ଟାରଲାଇନରକୁ ଫେରାଇ ଆଣିବା ଲାଗି ସମସ୍ଯା ସୃଷ୍ଟି ହୋଇଛି । ଫ୍ଲାଇଟ ଇଞ୍ଜିନିୟରମାନଙ୍କ ଚେତାବନୀ ସତ୍ତ୍ବେ ବୋଇଂ ଷ୍ଟାର ଲାଇନରକୁ ପଠାଯାଇଥିଲା । ଷ୍ଟାର ଲାଇନରରେ ତ୍ରୁଟି ହେତୁ ଓ୍ବିଲିୟମସ ଓ ଓ୍ବିଲମୋରଙ୍କୁ ବର୍ତ୍ତମାନ ନ ଆଣି ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରାଇଆଣିବା ଲାଗି ଯୋଜନା ରହିଛି । ସେମାନହ୍କୁ ଅନ୍ଯ ଏକ ସ୍ପେସକ୍ରାଫ୍ଟରେ ଆଣିବା ଲାଗି ନାସା ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସର୍ବସମ୍ମତ ନିଷ୍ପତ୍ତି । ଇଣ୍ଟରନ୍ଯାସନାଲ ସ୍ପେସ ଷ୍ଟେସନ ବା ଆଇଏସଏସରେ ସୁନୀତା ଓ ବଚଙ୍କୁ ରଖି ଷ୍ଟାରଲାଇନରକୁ ଫେରାଇଆଣିବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଉଭୟ ମହାକାଶଚାରୀଙ୍କ ନିରାପତ୍ତା ଦୃଷ୍ଟିରୁ କରାଯାଇଛି ବୋଲି କହିଛନ୍ତି ନେଲସନ ।

ଷ୍ଟାରଲାଇନରରେ ହିଲିୟମ ଲିକ୍ ନେଇ ସ୍ପେସ ଇଞ୍ଜିନିୟରମାନେ ଠାବ କରିବା ପରେ ଆରମ୍ଭ ହୋଇଥିଲା ସମସ୍ଯା । ଗତ ଜୁନ ୫ରେ ଷ୍ଟାରଲାଇନରକୁ ମହାକାଶକୁ ଛଡାଯାଇଥିଲା ଏବଂ ମାତ୍ର ୧୦ ଦିନ ମହାକାଶରେ ରହିବା ଲାଗି ସ୍ଥିରୀକୃତ ହୋଇଥିଲା । କିନ୍ତୁ ହିଲିୟମ ଲିକ୍ ଯୋଗୁ ଦିନକୁ ଦିନ ସମସ୍ୟା ଜଟିଳ ହେବାରେ ଲାଗିଛି । ଆସନ୍ତା ସେପ୍ଟେମ୍ବର 6ରେ ଦୁଇ ମହାକାଶଚାରୀଙ୍କୁ ଛାଡି ଷ୍ଟାରଲାଇନରକୁ ଫେରାଇ ଆଣିବା ଲାଗି ନାସା ଘୋଷଣା କରିଛି । ପୃଥିବୀ ପୃଷ୍ଠକୁ ଆସିବା ଲାଗି ଷ୍ଟାରଲାଇନରକୁ ଲାଗିବ ମାତ୍ର ଛଅ ଘଣ୍ଟା ।