ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର। ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ସୁନେତ୍ରା। ମୁମ୍ବାଇର ଲୋକ ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ କରାଇଥିଲେ ଶପଥ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବହୁ ନେତା ସାମିଲ ଥିଲେ। ପୂର୍ବରୁ ଅନୁଷ୍ଠିତ ଏନସିପି ବିଧାୟକ ଦଳ ବୈଠକରେ ସେ ହୋଇଥିଲେ ନେତା ନିର୍ବାଚିତ। ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ସମ୍ଭାଳିବେ ଗୁରୁ ଦାୟିତ୍ବ । ନେତ୍ରାଙ୍କୁ ଅବକାରୀ ଓ କ୍ରୀଡ଼ା ବିଭାଗ ମିଳିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅର୍ଥ ବିଭାଗ ଦାୟିତ୍ବରେ ରହିବେ । ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ଫଡନବିସଙ୍କୁ ଏନସିପିର ନେତାମାନେ ଅନୁରୋଧ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଏନସିପିର ଜଣଙ୍କୁ ସ୍ଥାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ନିକଟରେ ଦାବି କରିଥିଲେ ଏନସିପି ନେତୃମଣ୍ଡଳୀ। ଏନସିପିର ଏକ ପ୍ରତିନିଧି ମଣ୍ଡଳୀ ଯାଇ ଫଡନବିସଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନୀତ ତତକାରେ ଓ ଛଗନ ଭୁଜବଳ। ଅଜିତଙ୍କ ଅଧୀନରେ ଥିବା ଅର୍ଥ, ଅବକାରୀ, କ୍ରୀଡ଼ା ବିଭାଗକୁ ଏନସିପି ହାତରେ ଦେବା ଲାଗି ସେମାନେ ଦାବି କରିଥିଲେ। ସେପଟେ ଶରଦ ପାୱାରଙ୍କ ନେତୃତ୍ବରେ ରହିଥିବା ଏନସିପି(ଏସପି) ସହ ଏନସିପି(ଏପି)ର ମିଶ୍ରଣ ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି।

