ହକି ବିଶ୍ବକପ ପାଇଁ ଉତ୍ସବମୁଖର ସୁନ୍ଦରଗଡ଼: ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ

ସୁନ୍ଦରଗଡ଼: ହକି ବିଶ୍ବକପ ପାଇଁ ଉତ୍ସବମୁଖର ସୁନ୍ଦରଗଡ଼ । ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା । ଭାରତୀୟ ହକିକୁ ବିଶେଷ ଅବଦାନ ଥିବା ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ଗାଁ ସଉନାମରାରୁ ଏହାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ୧୭ ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତରେ ଏକା ସାଙ୍ଗରେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି ।

ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି । ମାସେ ଧରି ଏହି ପ୍ରତିଯୋଗିତା ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜନ କରାଯିବ । ଏହି ଅବସରରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ହକି ଭିଲେଜ ଭାବେ ପରିଚିତ ସଉନାମରା ଗାଁର କ୍ରୀଡ଼ା ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ଆଗକୁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯିବ । ବିଶ୍ବକପ ସମୟରେ ସୁନ୍ଦରଗଡ଼ର ଆଦିବାସୀ ନୃତ୍ୟ ସହତ ଲୋକନୃତ୍ୟ ଓ ଲୋକ ସଂଗୀତ ପରିବେଷଣ କରାଯିବ । ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ହକି ବିଶ୍ବକପ୍ ହେବାକୁ ଯାଉଛି। ଏହାଦ୍ବାରା ସୁନ୍ଦରଗଡ଼ ଅନ୍ତର୍ଜାତୀୟସ୍ତରରେ ଏକ ନୂଆ ପରିଚୟ ପାଇବ ।