ପୋଟଳ ଚାଷ କରିଛି ଲକ୍ଷପତି, ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ପୋଟଳ ଚାଷରୁ ବର୍ଷକୁ ୬୦ ଲକ୍ଷ ଆୟ । ଏହା ଅବିଶ୍ବାସ ହେଲେ ମଧ୍ୟ ଏହାକୁ ସତ କରି ଦେଖାଇଛନ୍ତି ସୁନ୍ଦରଗଡ ବୁଡାବାହାଲ ଗାଁର ଏସଏଚଜି ମହିଳା । ମିଶନ ଶକ୍ତି ସହାୟତାରେ ଏବେ ଗାଁର ପ୍ରତିଟି ମହିଳା ଜଣେ ଜଣେ ସଫଳ ଚାଷୀ । ଏହି ଚାଷୀ ମାନେ କେବଳ ପୋଟଳ ଫଳାଉନାହାନ୍ତି ପ୍ରତି ୩ବର୍ଷରେ ଥରେ ଏହାର କନ୍ଦା ରାଜ୍ୟର ବିଭିନ୍ନ ଅଚଂଳକୁ ରପ୍ତାନୀ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ସଫଳ ଚାଷୀ ପାଲଟିଲେ ମହିଳା । ପଡିଆ ପଡୁଥିବା ଜମି ଆଜି ଶସ୍ୟ ଶ୍ୟାମଳା । ଆତ୍ମବିଶ୍ବାସ ଭରିଲା ମିଶନ ଶକ୍ତିର ସହାୟତା । ସବୁଜ ଲତା ଭଳି ଦେଖାଯାଉଥିବା ଏହି ଗୁଡିକ ହେଉଛି ପୋଟଳ ଚାଷ । ସୁନ୍ଦରଗଡ ଜିଲ୍ଲା ମେଘଡେଗା ପଞ୍ଚାୟତ ବୁଡାବାହାଲ ଗାଁର ପ୍ରତିଟି ମହିଳା ଆଜି ପୋଟ ଚାଷରେ ନିମଗ୍ନ । ଦିନଥିଲା ଜମିରେ ବର୍ଷକୁ କେବଳ ଗୋଟିଏ ଥର ଧାନ ଚାଷ ହେଉଥିଲା । ଫଳରେ ଧାନ ଚାଷ ପରେ ପ୍ରତିବର୍ଷ  ୬୦ ଏକର ଜମି ପଡିଆ ପଡୁଥିଲା । ହେଲେ ମିଶନ ଶକ୍ତି ସହୟତାରେ ଗାଁର ୧୪ଟି ସ୍ବୟଂସହାୟକ ଗୋଷ୍ଠୀ ଗଠନ କରାଯାଇ ଋଣ ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ୪ବର୍ଷ ପୂର୍ବେ ସମସ୍ତେ ଆରମ୍ଭ କରିଥିଲେ ପୋଟଳ ଚାଷ । ଏବେ ଏସଏଚଜି ମହିଳା ମାନେ ପ୍ରତିବର୍ଷ ପୋଟଳ ଚାଷ ମାଧ୍ୟମରେ ୬୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

ରାଜ୍ୟ ସରକାରଙ୍କ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ଏହି ପୋଟଳ ଚାଷୀଙ୍କୁ ପ୍ରଥମେ ଋଣ ପ୍ରଦାନ କରାଯାଇଥିଲା । ପରେ ଉଦ୍ୟାନ ବିଭାଗ ସହାୟତାରେ ୯ଜଣ ମୁଖ୍ୟ ଚାଷୀଙ୍କୁ ତାଲିମ ଦିଆଯିବା ସହ ବିଭିନ୍ନ ଯନ୍ତ୍ରାଶଂ ଦିଆଯାଇଥିଲା ।  ଏବେ ପ୍ରତିଟି ଚାଷୀଙ୍କ ଠାରୁ ଅମଳ ହେଉଥିବା ଫସଲ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଏହି ଚାଷୀ କେବଳ ପୋଟଳ ଫଳାଉନାହାନ୍ତି ପ୍ରତି ୩ବର୍ଷରେ ଥରେ ଏହାର କନ୍ଦା ରାଜ୍ୟର ବିଭିନ୍ନ ଅଚଂଳକୁ ରପ୍ତାନୀ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।