ସୁନ୍ଦରଗଡ଼ ଡବଲ ମର୍ଡର ଘଟଣା: ହତ୍ୟାରେ ବ୍ୟବହୃତ ଛୁରୀ, ରକ୍ତ ଭିଜା କପଡ଼ା, ବାଇକ୍ ଜବତ

ସୁନ୍ଦରଗଡ଼: କୁତ୍ରା ଥାନା କାଶୀପଡ଼ା ଡବଲ ମର୍ଡର ଘଟଣାରେ ବ୍ୟବହୃତ ଛୁରୀ, ବାଇକ ଓ ରକ୍ତ ଭିଜା କପଡ଼ା ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ରାଜୁ ନାଗକୁ ଘଟଣା ସ୍ଥଳକୁ ନେଇ ଏସବୁ ଜିନିଷ ଜବତ କରିଛି ।

ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ କୁତ୍ରା ପୋଲିସ ଅଭିଯୁକ୍ତଙ୍କୁ ଧରି ହତ୍ୟା ସ୍ଥଳରେ ତଦନ୍ତ କରିଛି । ଏହାସହ ବିଭିନ୍ନ ସ୍ଥାନକୁ ଯାଇ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ।

ହତ୍ୟାକାଣ୍ଡର ଏକ ସପ୍ତାହ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା କୁତ୍ରା ଥାନା ପୋଲିସ । ଗତ ୧୪ ତାରିଖ ରାତିରେ ଘଟିଥିଲା ଡବଲ ମର୍ଡର । ଅଭିଯୁକ୍ତ ରାଜୁ କାଶୀପଡାର ପ୍ରେମିକା ଲିପ୍ସା କେର୍କେଟାଙ୍କ ସହ ତାଙ୍କ ସହପାଠୀ ପୁରୁଷ ବନ୍ଧୁ ପ୍ରତାପ ଲାକଡ଼ାଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଡ୍ରାଇଭର ରାଜୁ ଆତ୍ମସମର୍ପଣ କରିବା ପୂର୍ବରୁ ପୋଲିସ ତାକୁ କାବୁ କରିନେଇଥିଲା ।