ମ୍ୟାଲେରିଆ ନିୟନ୍ତ୍ରଣ ନେଇ LLIN ମଶାରୀ ବଣ୍ଟନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଥମ

ରାଉରକେଲା: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସୁନ୍ଦରଗଡ଼କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟ ଏବଂ କେନ୍ଦୁଝର ଜିଲ୍ଲା ତୃତୀୟ ହୋଇଛି।

ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ଶୁଭେଚ୍ଛା ଜଣାଇଥିଲେ।

ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କ୍ଷେତ୍ରସ୍ତରର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନରେ ସହଯୋଗ କରିଥିବା ଗୋଷ୍ଠୀ ସ୍ତରର କର୍ମୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

“ଆନୁଆଲ ପାରାସାଇଟ୍ ଇଣ୍ଡେକ୍ସ ଅନୁସାରେ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲା ଭାବରେ ସୁନ୍ଦରଗଡ଼ ପୂର୍ବରୁ ଯେଉଁ ସ୍ଥିତିରେ ଥିଲା, ସ୍ୱାସ୍ଥ୍ୟ ବିଭାଗର ନିରବଚ୍ଛିନ୍ନ ପ୍ରଚେଷ୍ଟା ଫଳରେ ସେଥିରେ ଯଥେଷ୍ଟ ଉନ୍ନତି ଆସିଛି। ଆୟତନ ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ରୁ ଅଧିକ ଦମନ କ୍ୟାମ୍ପ କରାଯାଇ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି । ଅତି ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏଲ୍‌ଏଲ୍‌ଆଇଏନ୍ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା, ଚିକିତ୍ସା ଏବଂ ତଦାରଖକୁ ତ୍ୱରାନ୍ୱିତ କରାଯାଇଛି। ଫଳରେ ଜିଲ୍ଲାରେ ମ୍ୟାଲେରିଆ ଯଥେଷ୍ଟ କମିଛି। ୨୦୨୫ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି, ଓଡ଼ିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୧ ମସିହାରେ ୧୩ ଲକ୍ଷ ୬୧ ହଜାର ଏଲ୍‌ଏଲ୍‌ଆଇଏନ୍ ମଶାରୀ ବଣ୍ଟନ କରାଯାଇଥିଲା।