ସୁନାବେଶରେ କେଉଁ ଦିଅଁଙ୍କୁ କେତେ ସୁନାରେ ଆଭୂଷଣ କରାଯାଏ?

ଭୁବନେଶ୍ୱର:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ଚଳିତବର୍ଷ କୋଭିଡ୍ କଟକଣା ପାଇଁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସହରରେ ଲଗାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କେବଳ ଶ୍ରୀ ମନ୍ଦିର ଚତୁର୍ପାଶ୍ୱରେ କର୍ଫ୍ୟୁ ବଳବତ୍ତର ରହିବ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡା ନୀତି ସମ୍ପନ୍ନ ହୋଇଥିବା ବେଳେ ଏବେ ରଥାରୂଢ ଶ୍ରୀବିଗ୍ରହଙ୍କ ଚାଲିଛି ନୀତିକାନ୍ତି ।

ତେବେ ୧୩୮ ପ୍ରକାରର ରତ୍ନରେ ଖଞ୍ଜିତ ସୁନାରେ ସଜେଇ ହୋଇ ମନ ମୋହିବାକୁ ପ୍ରସ୍ତୁତ ହୋଇ ହେଲେଣି ଦାରୁ ବିଗ୍ରହ ।
ସିଂହାରୀ, ପାଳିଆ,ଖୁଣ୍ଟିଆ,ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ ସେବକମାନେ ମହାପ୍ରଭୁଙ୍କୁ ସୁନାରେ ଛାଉଣି କରିବେ । କିନ୍ତୁ କେତେ ଓଜନର ସୁନା ଅଳଙ୍କାର ସୁନା ବେଶରେ ବ୍ୟବହାର ହୁଏ, ତାହାକୁ ନେଇ ନାନା ମୁନିଙ୍କର ନାନା ମତ । କୁହାଯାଏ ଦିଅଁ ମାନଙ୍କୁ ପରିଧାନ କରାଯାଉଥିବା ପ୍ରତି ମାଳାର ଓଜନ ୧୨୦ ତୋଳା ବା ୧ କିଲୋ ୧୬୦ ଗ୍ରାମ୍‌। ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତ ଏବଂ ଶ୍ରୀପୟରରେ ପରିଧାନ କରାଯାଉଥିବା ସୁନାର ଓଜନ ୮୧୮ ତୋଳା ୯ କିଲୋ ୨୭୬ ଗ୍ରାମ୍‌। ବଳଭଦ୍ରଙ୍କ ଶ୍ରୀହସ୍ତ ଏବଂ ଶ୍ରୀପୟରରେ ପରିଧାନ କରାଯାଉଥିବା ସୁନାର ଓଜନ ୭୧୦ ତୋଳା ବା ୮ କିଲୋ ୫୧ ଗ୍ରାମ୍‌।

ସେହିପରି ଜଗନ୍ନାଥଙ୍କ ସୁନା ମୁକୁଟର ଓଜନ ୬୧୦ ତୋଳା ବା ୬ କିଲୋ ୯୧୭ଗ୍ରାମ । ବଳଭଦ୍ରଙ୍କ ମୁକୁଟ ୪୩୪ ତୋଳା ଅର୍ଥାତ ୪ କିଲୋ ୯୨୧ ଗ୍ରାମ, ଦେବୀ ସୁଭଦ୍ରାଙ୍କ ମୁକୁଟର ଓଜନ ୨୭୪ ତୋଳା ବା ୩ କିଲୋ ୧୦୭ ଗ୍ରାମ ।

ଶ୍ରୀଜଗନ୍ନାଥଙ୍କ ବେଶ ଲାଗି ମୁଖ୍ୟ ଅଳଙ୍କାର ହେଉଛି , ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମର ପଟି ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ ରହିଛି, ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ।

ଦେବୀ ସୁଭଦ୍ରାଙ୍କ ବିଶେଷ ଅଳଙ୍କାର ମଧ୍ୟରେ ରହିଛି, କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ତଗଡି ୨ଟି, ସେବତୀ ମାଳି ।
ଏହି ମନଲୋଭା ଦୃଶ୍ୟକୁ ଦେଖିବା ପାଇଁ ଖୁବ୍‌ଉତ୍ସାହ ସହିତ ଚାହିଁ ବସିଛନ୍ତି ଭକ୍ତ ।

 

 

Leave a Reply