ପବିତ୍ର ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।ପାଟବସ୍ତ୍ର ପିନ୍ଧିବା ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି ।ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିବେ ।

ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ଅନୁଷ୍ଠିତ ହୋଇ ଅବିର ଖେଳ ହେବ । ଭକ୍ତ ମହାପ୍ରଭୁଙ୍କ ସହ ଫଗୁ ଖେଳର ସୁଯୋଗ ପାଇବେ ଭକ୍ତ । ପରେ ଦୋଳ ବେଦୀରେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରିବା ସହ ରଙ୍ଗ ଖେଳ ନୀତି ହେବ । ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାରେ ସାମିଲ ହେବେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ।