ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର, କାର୍ତ୍ତିକ ପୂର୍ଣ୍ଣିମାରେ ଧାରଣ କରନ୍ତି ରାଜରାଜେଶ୍ୱର ବେଶ

ପୁରୀ: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ବିବିଧ ସ୍ୱର୍ଣ୍ଣ ଅଳଙ୍କାର ଯଥା କବଜ, କୁଣ୍ଡଳ, କିରିଟ, ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳା, ବାହାଡା ମାଳା, ଶଙ୍ଖ, ଚକ୍ର, ହଳ ମୁଷଳ ଆଦି ନାନାଦି ରତ୍ନ ଅଳଙ୍କାରରେ ବିଭୂଷିତ ହେବେ ମହାବାହୁ । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ପୋଲିସ ପ୍ରଶାସନ ପକ୍ଷରୁ ମହାକାର୍ତ୍ତିକ ପୂର୍ଣମୀ ଅବସରରେ 20ପ୍ଲାଟୁନ ପୋଲିସ ଫୋର୍ସ ସହ ବହୁ ଅଧିକାରୀ ମୁତୟନ ହୋଇଛନ୍ତି ।

ହରି ଉତ୍ଥାପନ ଏକାଦଶୀରୁ ଆରମ୍ଭ ହୋଇଥିଲା ଧର୍ମମାସ ପଞ୍ଚୁକ । ପାଞ୍ଚ ଦିନରେ ୫ଟି ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ପ୍ରଥମ ଦିନରେ ରତ୍ନ ସିଂହାସନରେ ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶରେ ଦର୍ଶନ ଦେଇଥିଲେ ଠାକୁର । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମିଳି ନଥିଲା । ଦ୍ବିତୀୟ ଦିନରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥିଲେ । ଦୁଇଦିନ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭାବ ବିହ୍ବଳ ହୋଇଥିଲେ ଭକ୍ତ । ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା ।

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

Leave a Reply