ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ, ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ଦୁଇରୁ ତିନି ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨ ଓ ୨୩ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏନେଇ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖାଦେବ । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୁଳ ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୫ ଦିନ ପୂର୍ବରୁ ମୌସୁମୀ ସକ୍ରିୟ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଆଇଏମଡି ।