ଖରା ପାଇଁ ପ୍ରଭାବିତ ଖାତାଦେଖା, ବିଳମ୍ବ ହେବ ଯୁକ୍ତଦୁଇ ରେଜଲ୍ଟ
1 min read
ନନ୍ଦିଘୋଷ ବ୍ୟୁରୋ: ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ହେବାରେ ସାମାନ୍ୟ ବିଳମ୍ବ ଘଟି ପାରେ । ଖରା ଯୋଗୁଁ ଅନେ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଦେଖିବାକୁ ଆସିପାରୁ ନାହାନ୍ତି ଅଧ୍ୟାପକ । ତେଣୁ ନିର୍ଦ୍ଧାରତି ତାରିଖ ଠାରୁ ଖାତା ଦେଖା ସରିବାରେ ଆହୁରି କିଛି ଦିନ ଲାଗିପାରେ । ସେହି କ୍ରମରେ ନିର୍ଦ୍ଧାରିତ ହୋଇଥିବା ମେ’ ୧୫ରେ ବି ଫଳ ପ୍ରକାଶ ନପାଇ ବିଳମ୍ବ ହେବାର ଆଶଂକା ରହିଛି ।
ଖରା ପାଇଁ ପ୍ରଭାବିତ ହେଉଛି ଯୁକ୍ତଦୁଇ ଖାତାଦେଖା । ନିର୍ଦ୍ଧାରିତ ସମୟରେ ବାହାରି ନପାରେ ରେଜଲ୍ଟ । ଗ୍ରୀଷ୍ମ ପ୍ରବାହ ପାଇଁ ମୂଲ୍ୟାୟନ କେନ୍ଦ୍ର ଆସିପାରୁ ନାହାନ୍ତି ଅଧ୍ୟାପକ । ବଢୁଥିବା ତାପମାତ୍ରା ଯୋଗୁଁ ମାଲକାନଗିରି ଓ ବରଗଡ଼ରେ ମୂଲ୍ୟାୟନ କେନ୍ଦ୍ର ଯିବାରେ ଅଧ୍ୟାପକମାନେ ଅସମର୍ଥ ହେଉଥିବା ଅଭିଯୋଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ହସ୍ତଗତ ହୋଇଛି । ଫଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟ ଗୁଡ଼ିକର ଇ-ମୂଲ୍ୟାୟନ ପାଇଁ ହୋଇଥିବା ୭୦ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ହୋଇଥିଲା । ମାନୁଆଲ୍ ମୂଲ୍ୟାୟନରେ ଚାଲିଥିବା କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଦେଖା ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା । ପୂର୍ବରୁ ଏପ୍ରିଲ ୨୮ ସୁଦ୍ଧା ଖାତା ଦେଖା ସରିବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ଏବେ ଏହା ଏପ୍ରିଲ ୩୦ରେ ସରିବ । ତା’ପରେ ମେ’ ୫ ତାରିଖ ସୁଦ୍ଧା ଅନଲାଇନ ଅପଡେସନ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବିଳମ୍ବ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ କରିବାର ତାରିଖ ବି ଘୁଞ୍ଚିବା ସମ୍ଭାବନା ରହିଛି । ପୂର୍ବରୁ ମେ’ ୧୫ରେ ହି ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହା ମେ’ ୧୫ରୁ ୨୦ ଭିତରେ ପ୍ରକାଶ କରିବାକୁ ଯୋଜନା କରୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଖାତା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକାଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନଲାଇନ ଖାତା ଦେଖାରେ ୩ ହଜାର ୫ ଶହ ଓ ଅଫଲାଇନ ପାଇଁ ୪ ହଜାର ୫ଶହ ମୂଲ୍ୟାୟନକାରୀଙ୍କୁ ଡକାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଜଣ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ କାରଣ ପାଇଁ ଅଂଶଗ୍ରହଣ କରିପାରି ନଥିଲେ । ଏପ୍ରିଲ ୧୬ରୁ ୨୮ ମଧ୍ୟରେ ୮ ହଜାର ମୂଲ୍ୟାୟନକାରୀ ଖାତାଦେଖାରେ ସାମିଲ ହୋଇଛନ୍ତି । ଚଳିତବର୍ଷ ଉଭୟ ପାର୍ଶ୍ଵରେ ୨୪ ଲକ୍ଷ ଖାତା ମୂଲ୍ୟାୟନ ହେଉଛି । ଯେଉଁଥିରେ ଅଫଲାଇନରେ ୧୫ ଲକ୍ଷ ଓ ଅନଲାଇନରେ ୯ ଲକ୍ଷ ଉତ୍ତର ଖାତା ରହିଛି । ପରୀକ୍ଷା ଫଳ ପ୍ରକାଶର ତାରିଖ ଗଡ଼ିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଆଶାଆଶଂକା ବଢିବ । ଯାହା ସେମାନଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିପାରେ ।