ସଂସ୍କୃତି ଓ ପରମ୍ପରା ଆଗରେ ହାରିଲା ପ୍ରଶାସନିକ ସଚେତନତା, ରକ୍ତରେ ଭିଜିଲା ଶୁଲିଆ ପୀଠ

ବଲାଙ୍ଗୀର: ଆଦିବାସୀ ସଂସ୍କୃତି ଓ ପରମ୍ପରା ଆଗରେ ପୁଣି ହାର୍ ମାନିଲା ପ୍ରଶାସନର ସଚେତନତା । ପଶୁପକ୍ଷୀଙ୍କ ରକ୍ତରେ ଭିଜିଲା ଶୁଲିଆ ପୀଠ । ମାନସିକ ପୂରଣ ପାଇଁ ପଡିଲା ହଜାର ହଜାର ସଂଖ୍ୟାରେ ବଳି । ବିଧି ରକ୍ଷା କଲେ ଶ୍ରଦ୍ଧାଳୁ, ଦର୍ଶକ ସାଜି ଛିଡା ହୋଇ ରହିଲା ପୋଲିସ ପ୍ରଶାସନ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତର ଖଇରଗୁରା ଓ କୁମରିଆ ଶୁଳିଆ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଶୁଲିଆ ଯାତ୍ରା ।

ଶୁଲିଆ ପୀଠରେ ମାନସିକ ପୂରଣ ପାଇଁ ପଡ଼ିଲା ହଜାର ହଜାର ସଂଖ୍ଯାରେ ପଶୁ ପକ୍ଷୀଙ୍କ ବଳି । କନ୍ଧ ଆଦିବାସୀ ସମ୍ପ୍ରଦାୟର ଇଷ୍ଟ ଦେବତା ଶୁଲିଆ । ଆଦିବାସୀଙ୍କ ଅଗାଢ ବିଶ୍ବାସ ରହିଛି ଶୁଲିଆ ବୁଢା ନିକଟରେ ମୁଣ୍ଡିଆ ମାରି ଯାହା ମାନସିକ କଲେ ପୂର୍ଣ୍ଣ ହୋଇଥାଏ । ତେଣୁ ମାନସିକ ପୂରଣ ପରେ ଭୋଗ ଭାବରେ ଶୁଲିଆ ପୀଠରେ ବଳି ଚଢାଯାଇଥାଏ । ବିଶ୍ବାସ ଓ ଭକ୍ତି ନେଇ ଖାଲି ବଲାଙ୍ଗୀର ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଠାକୁ ଧାଇଁ ଆସିଥାନ୍ତି ଆଦିବାସୀ ସମ୍ପ୍ରସାଦାୟର ହଜାର ହଜାର ଲୋକ  ।କିଏ ପୋଢ ତ କିଏ ମେଣ୍ଡା, ବୋଦା, କୁକୁଡା, ପାରା ବଳି ଚଢାଇଥାନ୍ତି ।

ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ ହୋଇଥାଏ । ଏଥିପାଇଁ ଶୁଲିଆ ପୀଠର ବଡଖଳା ଓ ସାନଖଳାଠାରେ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସକାଳୁ ପାରମ୍ପରିକ ଭାବେ ପୂଜକ ଓ ବରୁଆ ଶୋଭାଯାତ୍ରାରେ ବାହାରି ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ଧଳା କୁକୁଡା ବଳି ଦେବା ପରେ ପାଟ ବୋଦା ବଳି ପଡିଥିଲା । ପରେ ମାନସିକଧାରୀମାନେ ଆଣିଥିବା ପଶୁ ପକ୍ଷୀ ବଳି ପଡିଥିଲା । ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।