ଶପଥ ନେଲେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ

ଶିମଲା: ହିମାଚଳରେ ସୁଖବିନ୍ଦର ସରକାର । ନୂଆ ମୁଖ୍ୟମନ୍ତ୍ରୀ ପାଇଲା ପାହାଡ଼ି ରାଜ୍ୟ ହିମାଚଳ । ସିଏମ୍ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ଶିମଲାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ହିମାଚଳର ନୂଆ ସରକାର ସଚ୍ଚୋଟ ହେବା ସହ, ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଉପରେ କାର୍ଯ୍ୟ କରିବ ବୋଲି ସୁଖବିନ୍ଦର କହିଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହୋଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସଚିନ ପାଇଲଟଙ୍କ ସମେତ ବହୁ ନେତା ଶପଥ ସମାରୋହରେ ଉପସ୍ଥିତ ଥିଲେ । ଉଭୟ କଂଗ୍ରେସ ଓ ହିମାଚଳ ପାଇଁ ଏହା ନୂଆ ଇନିଂସ ବୋଲି ଗେହଲଟ କହିଛନ୍ତି । ବେକାରୀ ଓ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଭାରତ ଯୋଡ ପଦଯାତ୍ରା କରୁଥିବା ବେଳେ ହିମାଚଳରୁ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି ।

ହିମାଚଳ ପିସିସି ସଭାପତି ପ୍ରତିଭା ସିଂଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସୁଖବିନ୍ଦର ପିସିସି ମୁଖ୍ୟ ପ୍ରତିଭାଙ୍କୁ ଭେଟି ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ମତଭେଦ ରହିଥିବା ଆଲୋଚନା ହେଉଥିବା ବେଳେ ହିମାଚଳରେ ଆଗାମୀ ୫ବର୍ଷ ସ୍ଥିର ସରକାର ରହିବ ବୋଲି ପ୍ରତିଭା କହିଛନ୍ତି ।