ପଞ୍ଜାବରେ ରାଜନୈତିକ ହିଂସା, କଂଗ୍ରେସ-ଅକାଳି ମୁହାଁମୁହିଁ
1 min read
ପଞ୍ଜାବ: ନଗର ନିଗମ ନିର୍ବାଚନ ପାଇଁ ପଞ୍ଜାବରେ ବଢ଼ି ଚାଲିଛି ହିଂସା । ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସା ସାମ୍ନାକୁ ଆସୁଛି । ନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସ ଓ ଅକାଳି ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖାଯାଇଛି । ଏଥିରେ ଅକାଳି ଦଳର କିଛି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଜାବର ତରଣ-ତାରଣ ଜିଲ୍ଲାରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି ।
କଂଗ୍ରେସ ଦଳର କିଛି କର୍ମୀ ଟେକା, ପଥର ମାଡ଼ କରିଥିବା ଅକାଳି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏହା ପୂର୍ବରୁ ଜଲାଲାବାଦରେ ଶିରୋମଣି ଅକାଳି ଦଳର ନେତା ସୁଖବିର ସିଂ ବାଦଲଙ୍କ ଗାଡି ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା । ଜଲାଲାବାଦ ଘଟଣାରେ କଂଗ୍ରେସ ବିଧାୟକ ରାମନ୍ଦିର ସିଂ ଓ ତାଙ୍କ ପୁଅଙ୍କ ସମେତ ୬୦ ଜଣଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଲର୍ଟ ହୋଇଯାଇଛି ରାଜ୍ୟ ପୋଲିସ । ଘଟଣାକୁ ନିନ୍ଦା କରିବା ସହ ଖୁବ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅକାଳି ଦଳର ନେତା । ସୋମବାର ମଧ୍ୟ ଆପ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା ।