VRS ନେଲେ ସୁଜାତା ରାଉତ କାର୍ତ୍ତିକେୟନ

ନନ୍ଦିଘୋଷ ବ୍ୟୁରୋ: ୨୦୦୦ ମସିହାର ଆଇଏଏସ ଅଧିକାରୀ ତଥା ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଆଗୁଆ ଅବସର ନେଇଛନ୍ତି । ତାଙ୍କ ଆଗୁଆ ଅବସର ଆବେଦନକୁ ଗତକାଲି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ ଦୁଇ ହଜାର ମସିହା ପରଠାରୁ ନବରଙ୍ଗପୁର ଉପଜିଲ୍ଲାପାଳରୁ ଆରମ୍ଭ କରି ସୁନ୍ଦରଗଡ଼ ଓ କଟକର ଜିଲ୍ଲାପାଳ ଭାବେ ଜିଲ୍ଲାସ୍ତରରେ କାମ କରି ବେଶ ସୁନାମ ଅର୍ଜନ କରିଥିଲେ ।୨୦୦୭ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ କଟକର ପ୍ରଥମ ମହିଳା ଜିଲ୍ଲାପାଳ । ପରବର୍ତ୍ତୀ ସମୟରେ ସେ ମିଶନ ଶକ୍ତିର ନିର୍ଦ୍ଦେଶିକା ଭାବେ ବେଶ ଆଦୃତି ଲାଭ କରିଥିଲେ । ଓଡ଼ିଶାର ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଦିଗଦର୍ଶନ ଦେବା କ୍ଷେତ୍ରରେ ତାଙ୍କର ଅବଦାନ ବେଶ ଉଲ୍ଲେଖନୀୟ ଥିଲା । ମିଶନ ଶକ୍ତି ନୂଆ ବିଭାଗ ହେବା ପରେ ସେ ସେହି ବିଭାଗର କମିଶନର ତଥା ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ମହିଳା ଓ ଶିଶୁ କଲ୍ଯାଣ ବିଭାଗର ସଚିବ ତଥା କମିଶନର ଦାୟିତ୍ବ ସାଙ୍ଗକୁ ତାଙ୍କୁ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ବ ମଧ୍ଯ ନିର୍ବାହ କରିଥିଲେ । ୨୦୨୪ ମସିହାରେ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିଲା । ୨୫ ବର୍ଷର ଆଇଏଏସ କ୍ଯାରିଅର ପରେ ବ୍ଯକ୍ତିଗତ କାରଣ ଯୋଗୁଁ ସେ ଆଗୁଆ ଅବସର ଗ୍ରହଣ କରିଛନ୍ତି । ଦେଢ ବର୍ଷ ତଳେ ତାଙ୍କ ସ୍ବାମୀ ଭି. କାର୍ତ୍ତିକ ପାଣ୍ଡିଆନ ମଧ୍ଯ ଆଇଏଏସରୁ ଅବସର ନେଇଥିଲେ । ସୁଜାତା କାର୍ତ୍ତିକେୟନଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ।