ଢେଙ୍କାନାଳ ହସ୍ପିଟାଲରେ ଅଘଟଣ, ବେଡ୍ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ହସ୍ପିଟାଲରେ ବେଡ୍‌ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲରେ ଘଟିଛି ଘଟଣା । ଚାରି ମହଲାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ପରଜଙ୍ଗ ଲୋଧଣୀ ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ । ଭୋର ୪ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଦୁର୍ଯ୍ୟୋଧନ ନାୟକ କଟକରେ ଏକ ହଷ୍ଟେଲରେ ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଗତକାଲି ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ କଟକରୁ ତାଙ୍କର ଭଣଜାଙ୍କ ସହ ପରଜଙ୍ଗ ଗାଁକୁ ଫେରୁଥିଲେ । ଅଧା ବାଟରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ଯାହାଫଳରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ । କେଉଁ କାରଣ ପାଇଁ  ଦୁର୍ଯୋଧନ ହସ୍ପିଟାଲ ଛାତ ଉପରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ହସ୍ପିଟାଲରେ ବେଡ ନମିଳିବା, ସୁରକ୍ଷାକର୍ମୀଙ୍କ ଡ୍ୟୁଟିରେ ଅବହେଳା ଓ ସଠିକ ଚିକିତ୍ସା ନମିଳିବାକୁ ଦାୟୀ କରିଛନ୍ତି ପରିବାର ଲୋକ । ଦୁର୍ଯ୍ୟୋଧନଙ୍କ ମୃତଦେହ ଶବ ବ୍ୟବଛେଦ ପାଇଁ ପଠାଯାଇଥିବାବେଳେ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି ।