ଲକ୍‌ଡାଉନ୍‌ରେ ବଢାଇଛି ମାନସିକ ଅବସାଦ, ବଢିଛି ଆତ୍ମହତ୍ୟା ମାମଲା

ଭୁବନେଶ୍ୱର: ଦୁଃଖ ଦେଇଛି କୋଭିଡ୍‌ କଟକଣା । ଲକ୍‌ଡାଉନ୍‌ରେ ବଢ଼ିଛି ଲୋକଙ୍କ ମାନସିକ ଯନ୍ତ୍ରଣା । କାହାର ରୋଜଗାର ଚାଲି ଯାଇଛି ତ’କାହାକୁ ଦୁଇ ବେଳା ଖାଦ୍ୟ ମିଳୁନି । ଆଉ ଭଡ଼ା ଦେଇ ନପାରିବାରୁ କାହାକୁ ମାଲିକ ଘରୁ ବି ତଡ଼ି ଦେଇଛି । ଏଭଳି ସ୍ଥିତିରେ ଅନେକଙ୍କର ମାନସିକ ସନ୍ତୁଳନ ବିଗିଡ଼ିଛି । ଯେଉଁଥିପାଇଁ କୋଭିଡ କଟକଣା ସମୟରେ ‘ଆତ୍ମହତ୍ୟା’ ଘଟଣାରେ ରାଜଧାନୀ ଭୁବନେଶ୍ୱର ସର୍ବକାଳୀନ ରେକର୍ଡ କରିଛି ।

୩ ମାସର କଟକଣା ଭିତରେ ସ୍ମାର୍ଟସିଟିରେ ୯୦ ଜଣ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ୧୦ ବର୍ଷ ଭିତରେ ତିନି ମାସରେ ଏତେ ସଂଖ୍ୟାରେ ଆତ୍ମହତ୍ୟା କେବେ ହୋଇନାହିଁ । ୨୦୧୯ରେ ଭୁବନେଶ୍ୱରରେ ଏପ୍ରିଲ, ମେ ଓ ଜୁନ୍‌ ୩ ମାସରେ ୫୭ଟି ଆତ୍ମହତ୍ୟା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲା । ଆତ୍ମହତ୍ୟାର ଏହି ଉଦ୍‌ବେଗଜନକ ସଂଖ୍ୟା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କଟକଣା ସମୟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ସବୁଠାରୁ ଚର୍ଚ୍ଚିତ ରହିଛି । ଯଦିଓ ମାମଲାର ତଦନ୍ତ ଚାଲିଛି, ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ପ୍ରମାଣିତ ହୋଇ ନାହିଁ । ସେହିପରି ମେ ମାସରେ ଶ୍ରୀଲିଙ୍ଗରାଜ ଥାନା କୁମ୍ଭାରସାହି କେନାଲ ରୋଡ୍‌ରେ ନବବିବାହିତା ଗର୍ଭବତୀ ପତ୍ନୀ ମୀନାକ୍ଷୀ ରାଉତଙ୍କୁ ସ୍ୱାମୀ ରାକେଶ ରାଉତ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ ।

ସେହିପରି ନହରକଣ୍ଟାର ସସ୍ମିତା ନନ୍ଦ ଗତ ମାସରେ ଆତ୍ମହତ୍ୟା କରିଥିଲେ । ତେବେ ଏହିସବୁ ଘଟଣା ଅବସାଦ ଗ୍ରସ୍ତର ଶିକାର ହୋଇଥିବା କୁହାଯାଉଛି । ଲକ୍‌ଡାଉନ୍‌ ସମୟରେ ପେଟପାଟଣା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଜନିତ ଘଟମା ବଢିଥିବା କୁହାଯାଉଛି । କେବଳ ଭୁବନେଶ୍ୱର ନୁହେଁ, ସାରା ଦେଶରେ ଏବେ ବହୁ ହାଇପ୍ରୋଫାଇଲ ଆତ୍ମହତ୍ୟା ଘଟଣା ଘଟୁଥିବା ଦେଖାଯାଇଛି ।

(ଭୁବନେଶ୍ୱରରୁ ମାନସ ମହାପାତ୍ର)

Leave a Reply