ବାଚସ୍ପତିଙ୍କ ଚରମ ବାଣୀ, ‘ଭୁଲ କରିଛନ୍ତି ସୁବାସ’ ,’କ୍ଷମା ମାଗନ୍ତୁ’

Surya Narayan Patra

ଭୁବନେଶ୍ୱର: ବାଚସ୍ପତିଙ୍କ ଚରମ ବାଣୀ । ‘ଭୁଲ କରିଛନ୍ତି ସୁବାସ’ । ‘କ୍ଷମା ମାଗନ୍ତୁ ସୁବାସ’ । ସରକାରୀ ଦଳ ପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ବେଆଇନ ଦର୍ଶାଇ ଓ ଗୃହ ସ୍ୱାଭାବିକ କରିବା ପାଇଁ ସୁବାସ କ୍ଷମା ମାଗିବାକୁ ବାଚସ୍ପତି କହିଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିଜେଡି ସମେତ କଂଗ୍ରେସ ସ୍ୱାଗତ କରିଛି ।

ବିଜେପି ବିଧାୟକ ଦଳ ବୈଠକ ଡାକି ଦୁଃଖ ପ୍ରକାଶ କରିବା ଲାଗି ବାଚସ୍ପତି କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଭୁଲ କରିଥିବାରୁ କ୍ଷମା ମାଗିବାରେ ଅସୁବିଧା କ’ଣ ? ଗୃହ ସ୍ୱାଭାବିକ ଭାବେ ଚାଲିବା ପାଇଁ ସୁବାସଙ୍କ କ୍ଷମା ପ୍ରାର୍ଥନା ଉପରେ ଜୋର ଦେଇ ବିଜେପି ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବାଚସ୍ପତି ।

ସେପଟେ ବିଧାନସଭା ପରି ପବିତ୍ର ଗୃହରେ ଆତ୍ମହତ୍ୟା ଉଦ୍ୟମକୁ ପଲିଟିକଲା ଷ୍ଟଣ୍ଟ କହିଛି କଂଗ୍ରେସ । ନିଜ ନିର୍ବାଚନମଣ୍ଡଳୀ ଚାଷୀଙ୍କ ପାଇଁ ଦରଦ ଦେଖାଇ ହେବାକୁ ସୁବାସ ଏହି ନାଟକ କରିଥିବା କଂଗ୍ରେସ ବିଧାୟକ କଟାକ୍ଷ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସୁବାସ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ବେଆଇନ କାର୍ଯ୍ୟକୁ ଦଳୀୟ ସମର୍ଥନ ମିଳିବାରେ ଲାଗିଛି । ଯାହା ରାଜନୈତିକ ସମୀକ୍ଷକଙ୍କୁ ଆଚମ୍ବିତ କରିଛି । ବିଜେପି ବିଧାୟକ କ୍ଷମା ନ ମାଗିଲେ, ରାଜ୍ୟବାସୀଙ୍କୁ ଖରାପ ବାର୍ତ୍ତା ଯିବ ବୋଲି ମତ ପ୍ରକାଶ ପାଇଛି ।

ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଦିଲ୍ଲୀରେ ୧୦୦ରୁ ଅଧିକ ଦିନ ହେଲା ଚାଷୀ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ସମାଧାନ କି ସଂଶୋଧନ ପାଇଁ ପଦକ୍ଷେପ ନେଉନାହାନ୍ତି । ବିଜେପିଠାରୁ ଚାଷୀ ଦୂରେଇ ଗଲେଣି । ଏଭଳି ସ୍ଥିତିରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ଚାଷୀଙ୍କ ଭୋଟ ହାତେଇବାକୁ ଉଦ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply