ବିଧାନସଭା ସାମ୍ନାରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଫଳ କଲା ପୋଲିସ

1 min read

ଭୁବନେଶ୍ୱର: ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲେ ସୁରକ୍ଷାକର୍ମୀ । ନାବାଳିକା ଝିଅ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ କରି ଆତ୍ମାହୁତି ଉଦ୍ୟମ କରିଛନ୍ତି ବାପା- ମା’ । ନୟାଗଡ଼ରୁ ଆସିଥିଲେ ଦମ୍ପତି  । ତାଙ୍କ ଝିଅକୁ ପୋଲିସ ନ୍ୟାୟ ଦେଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେମାନେ କହିଛନ୍ତି ।

ଦମ୍ପତ୍ତିଙ୍କ ଅଭିଯୋଗ ଯେ, ତାଙ୍କ ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । କିନ୍ତୁ ପୋଲିସ ତଦନ୍ତରେ ଅବହେଳା କାରଣରୁ ତାକୁ ନ୍ୟାୟ ମିଳି ପାରିନାହିଁ । ଯଥାଶୀଘ୍ର ଦୋଷୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ପୋଲିସର ଅପାରଗତାକୁ ସମସ୍ତଙ୍କର ସାମ୍ନାକୁ ଆଣିବା ପାଇଁ  ସେମାନେ ଏଭଳି କରିଛନ୍ତି ବୋଲି କହିଛନ୍ତି ଦମ୍ପତି ।

ଉଭୟ ସ୍ୱାମୀ ସ୍ତ୍ରୀ ଶାଲ ଘୋଡାଇ ହୋଇ ବିଧାନସଭା ଆଗରେ ପହଂଚିଥିଲେ । ସେମାନେ ହଠାତ ନିଜ ଦେହରେ ଜ୍ୱଳନଶୀଳ ସାମଗ୍ରୀ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ତେବେ ପାଖରେ ଥିବା ପୋଲିସ ଓ ଅନ୍ୟ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଫଳରେ ଗୋଟିଏ ବଡ ଧରଣର ଦୁର୍ଘଟଣା ଘଟିନଥିଲା । ଦମ୍ପତ୍ତିଙ୍କୁ ପୋଲିସ ଏକ ଅଟୋରେ ଘଟଣାସ୍ଥଳରୁ ନେଇ ଯାଇଥିଲା । ତେବେ ଏହି ସମୟରେ ସେମାନେ ମିଡିଆକୁ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ବାବଦରେ କହିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଏତେ ସୁରକ୍ଷା ବଳୟ ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଛି । ମୌସୁମୀ ଅଧିବେଶନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଏବଂ ଶୀତକାଳୀନ ଅଧିବେଶନରେ ମଧ୍ୟ ପୁଣି ଏଭଳି ଘଟଣା ଘଟିଛି । ତେବେ ପୋଲିସକୁ ଏଥିପ୍ରତି ଆହୁରି ଅଧିକ ସଚେତନ ହେବା ଆବଶ୍ୟତା ରହିଛି ।

Leave a Reply