ମିଳିଲା ଆଦିତ୍ୟଙ୍କ ଆତ୍ମହତ୍ୟା ପୂର୍ବର ହାତଲେଖା, ‘ମୋ ମୃତ୍ୟୁ ପାଇଁ…’

Suicidal notes of Social Worker Aaditya Dash reveals his Death Mestrey

ଭୁବନେଶ୍ୱର: ଆଦିତ୍ୟଙ୍କ ମୃତ୍ୟୁର ୨ ଦିନ ପରେ ମିଳିଛି ସୁରାକ୍ । ପୋଲିସକୁ ମିଳିଥିବା ଆଦିତ୍ୟଙ୍କ ଡାଏରୀ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଥିବା କହୁଛି ମୃତ୍ୟୁ ପୂର୍ବର ହାତଲେଖା । ଡାଏରୀରେ ଆଦିତ୍ୟ ସଂଗଠନରୁ ନେଇ ପରିବାର ଓ ପତ୍ନୀ ସମସ୍ତଙ୍କ କଥା ଉଲ୍ଲେଖ କରିଛନ୍ତି । ତେବେ, ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ? ତାର କାରଣ ଏ ଡାଏରୀରେ ନାହିଁ । କାରଣ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖିଛନ୍ତି ଆଦିତ୍ୟ ଦାଶ ।

‘ମୃତ୍ୟୁ କେତେବେଳେ କୋଉ ବାଟରେ ଆସି କାହା ପାଖରେ ପହଞ୍ଚି ଯାଏ ସେ କଥା କେହିବି ଜାଣିନାହାଁନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃତ୍ୟୁ ଉପସ୍ଥିତ । କହନ୍ତି କି ଯେତେ ଦିନ ପାଇଁ ଏ ଦୁନିଆକୁ ଆସିଛି ସେତେଦିନ ହିଁ ରହିବି । ମୋର ବି ବୋଧେ ଶେଷ ସମୟ ଆସିଯାଇଛି । ବହୁତ ଆଶାଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି, କିନ୍ତୁ ଭଗବାନ ବୋଧେ ଚାହୁଁ ନଥିଲେ ବୋଲି ସୁଇସାଇଡ୍ ନୋଟରେ ଲେଖିଛନ୍ତି ଆଦିତ୍ୟ ।

ନିଜ ହାତରେ ପୁଅ ପରି ଗଢ଼ି ତୋଳିଥିବା ‘ପିପୁଲ୍ ଫର ସେବା’ ସଂଗଠନ ଦାୟିତ୍ୱ ସେ ପପୁ, ବିକାଶ ଓ ଅନ୍ୟମାନଙ୍କୁ ଲାଗିଲା ବୋଲି ଲେଖିଛନ୍ତି । ଯେଉଁଥିରେ ଲେଖାଅଛି ମୁଁ ଚେକରେ ସାଇନ୍ କରିଛି, ଟଙ୍କା ଉଠାଇ ଆଶ୍ରମ ଚଲାଉଥିବ । ପରେ ଆଇନଗତ ସବୁ କାଗଜପତ୍ର ଠିକ୍ କରି ପପୁ ଚେୟାରମ୍ୟାନ ଓ ବିକାଶ ଟ୍ରେଜରର ପଦରେ ରହି ‘ପିପୁଲ୍ ଫର ସେବା’କୁ ଚଳାଇବ ବୋଲି ଆଦିତ୍ୟ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ।

ମୋ ଫୋନ୍ ରହିଲା । ସେଥିରେ ସବୁ ନମ୍ବର ଅଛି ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବନାହିଁ । ବଞ୍ଚି ଥାଉ ଯାହା କରିପାରିଲି ନାହିଁ, ହୁଏତ ମୁଁ ମରିଗଲା ପରେ ଲୋକଙ୍କ ସହାନୁଭୂତିରେ ମୋର ଶେଷ ଇଚ୍ଛା ପୂରଣ ହୋଇପାରିବ ବୋଲି ସେ ଲେଖିଛନ୍ତି । ବିକାଶ ମୋ ବାପା, ମାଆ ତୋତେ ଲାଗିଲେ । ତାଙ୍କ କଥା ବୁଝୁଥୁବୁ । ବାପା, ମାଆଙ୍କ କଥା ବହୁତ ମନେ ପଡ଼ୁଛି । ତାଙ୍କ ମୁହଁକୁ ଚାହିଁଦେଲେ ଆଉ କିଛି ଭୁଲ୍ ନିଷ୍ପତ୍ତି ନେବାର ସାହାସ ହେବ ନାହିଁ । କାଲି ସକାଳେ ସେମାନେ ପହଞ୍ଚିବେ । ତା ପୂର୍ବରୁ ମୁଁ ଦୁନିଆରେ ନଥିବି । ମୋର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି ବୋଲି ଆଦିତ୍ୟ ଲେଖିଛନ୍ତି ।

ବୋଧହୁଏ ଏତିକି ଦିନ ମୋର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ, ତୁମକୁ ମୋର ବହୁତ ଭଲ ପାଇବା ଉପରେ ରହି ତୁମକୁ ବହୁତ ମିସ୍ କରିବି । ବହୁତ କିଛି କରିବାର ଇଚ୍ଛା ଇଚ୍ଛାରେ ହିଁ ରହିଗଲା । ଓଡ଼ିଶାରୁ ମଦ ବନ୍ଦ ହେଲେ ଯାଇ ମୋ ଆତ୍ମାକୁ ଶାନ୍ତି ମିଳିବ ବୋଲି ଆଦିତ୍ୟ ସୁଇସାଇଡ୍ ନୋଟରେ ଲେଖିଛନ୍ତି । ତେବେ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଜୀବନର ଶେଷ ବିକଳ୍ପ ନୁହେଁ ବୋଲି କହୁଥିବା ଆଦିତ୍ୟ ଦାଶ କାହିଁକି କଲେ ଆତ୍ମହତ୍ୟା ?

ଯଦିଓ ସୁଇସାଇଡ୍ ନୋଟରେ ଆଦିତ୍ୟ ଆତ୍ମହତ୍ୟା ପାଇଁ କାହାକୁ ବି ଦାୟୀ କରିନାହାଁନ୍ତି, ତେବେ ଆତ୍ମହତ୍ୟାର କାରଣ କଣ ? କାହା ପାଇଁ ମାନସିକ ଅବସାଦ ଭିତରେ ରହିଥିଲେ ଆଦିତ୍ୟ । ଆଦିତ୍ୟଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାଇଁ ବିଗିଡ଼ିଥିଲା କି ମାନସିକ ସ୍ଥିତି ? ଏବେ ଏମିତି ଅନେକ ପ୍ରଶ୍ନ ଆଦିତ୍ୟଙ୍କ ଆତ୍ମହତ୍ୟାକୁ ନେଇ ଉଠିଛି । ଯାହାର ଉତ୍ତର ହୁଏ ତ କେବଳ ଆଦିତ୍ୟ ହିଁ ଦେଇପାରିବେ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

Leave a Reply