ପର୍ଯ୍ୟାପ୍ତ ପରିମାଣରେ ରାଜ୍ୟରେ ମହଜୁଦ୍ ଅଛି ଅତ୍ୟାବଶ୍ୟକ ସାମଗ୍ରୀ: ମନ୍ତ୍ରୀ

1 min read
Sufficient Stock Of Essential Commodity During Odisha Lockdown

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଆଇନ୍‌ ମହଜୁଦକାରୀ ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରହିଛି । ବର୍ତ୍ତମାନ  ରାଜ୍ୟରେ ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଆଳୁ, ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି । କରୋନାର ଦ୍ୱିତୀୟ ପ୍ରବାହ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ପରିବା, କ୍ଷୀର ଓ ମାଛମାଂସ ଦୋକାନ ସକାଳ ୬ଟାରୁ ଅପରାହହ୍ଣ ୧୨ଟା ଯାଏ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହୁଛି । ଏଥି ସହିତ ଲକ୍‌ଡାଉନ୍‌ ସମୟରେ ଅତ୍ୟାବ୍ୟଶକୀୟ ସାମଗ୍ରୀର ଆମଦାନୀ ଓ ପରିହବନରେ କୌଣସି କଟକଣା ନାହିଁ । ତେଣୁ ଜନସାଧାରଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଏହି ସବୁ ସାମଗ୍ରୀର ଚାହିଦା ଅନୁଯାୟୀ ଆମଦାନୀ କରୁଛନ୍ତି । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର କର୍ମଚାରୀମାନେ ଏହାର ତଦାରଖ କରି ପ୍ରତିଦିନ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ୱାସ ନକରି ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣାକିଣି କରିବା ସହିତ କଳାବଜାରୀଙ୍କୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

Leave a Reply