ସୁଏଜ କେନାଲରେ ଅଟକି ରହିଛି ୪ ଫୁଟବଲ ପଡିଆ ଆକାରର ଜାହଜ, ବଢିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ଏସିଆ ଓ ୟୁରୋପ ମଧ୍ୟରେ ସର୍ଟକଟ୍ ସାମୁଦ୍ରିକ ପଥ ହେଉଛି ସୁଏଜ କେନାଲ । ବିଶ୍ୱର ସାମୁଦ୍ରିକ ବ୍ୟବସାୟର ସବୁଠାରୁ ବ୍ୟସ୍ତତମ ରୁଟ୍ ହେଉଛି ସୁଏଜ୍ କେନାଲ । ତେବେ ଏହି ସୁଏଜ କେନାଲରେ ଲାଗିଛି ଟ୍ରାଫିକ୍ ଜାମ୍ । ସଡକ ପଥରେ ଟ୍ରାଫିକ୍ ଜାମ କଥା ଆପଣ ଶୁଣିଥିବେ କିନ୍ତୁ ବିଶାଳ ସମୁଦ୍ରରେ ଟ୍ରାଫିକ୍ ଜାମ କଥା ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥାଇ ପାରେ । ତେବେ ଯାହା ଶୁଣୁଛନ୍ତି ତାହା ସତ । ସୁଏଜ କେନାଲରେ ଗୋଟିଏ ଜାହାଜ ଅଟକି ଯିବା କାରଣରୁ ଏହି ଟ୍ରାଫିକ୍ ଜାମ୍ ହୋଇଛି । ଜାହଜର ଆକାର କାରଣରୁ ଟ୍ରାଫିକ୍ ଜାମ୍ ହୋଇଛି । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ବଡ ହେବ ,ଏହି ଜାହଜର ଆକାର ସେତିକି ବଡ । କେନାଲ ଭିତରେ ଏହି ଜାହାଜ ଅଟକିବା କାରଣରୁ ବାକି ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳୁନାହିଁ । ତେବେ ସୂଦୁର ସୁଏଜରେ ଏହି ଜାହାଜ ଅଟକିବା ଆପଣଙ୍କ ପକେଟକୁ ମହଙ୍ଗା ପଡିପାରେ । ଏବେ ପେଟ୍ରୋଲ ଲିଟର ପିଛା ଯଦି ଆପଣ ପାଖାପାଖି ୧୦୦ ଟଙ୍କା ଦେଉଛନ୍ତି ତେବେ ଯଦି ଶୀଘ୍ର ରାସ୍ତା ଖୋଲେ ନାହିଁ ତେବେ ପେଟ୍ରୋଲ ଦର ଆହୁରି ବଢିବ ।
ଜାହଜର ନାମ କ’ଣ ?
ଜାହଜର ନାମ ହେଉଛି ଏଭର ଗିଭନ । ଏହି ଜାହଜର ମାଲିକାନା ରହିଛି ଏଭରଗ୍ରୀନ୍ କମ୍ପାନି ପାଖରେ । ଏହି ଜାହଜ ପାନାମାରେ ପଂଜିକୃତ ହୋଇଛି କିନ୍ତୁ କମ୍ପାନୀର ଘର ହେଉଛି ତାଇୱାନ । ସେହି ତାଇୱାନ୍ ଯାହାକୁ ଚୀନ୍ ଦେଶ ବୋଲି ମାନେ ନାହିଁ ।

ever given
କେମିତି ଅଟକିଲା ଜାହଜ ?
ମାଲବାହକ ଏଭର ଗିଭନ ଭୂମଧ୍ୟସାଗର ଆଡକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ଜୋରରେ ବହୁଥିବା ପବନ କାରଣରୁ ସୁଏଜ କେନାଲରେ ଫଶି ଯାଇଥିଲା । ଜାହଜ ପବନ ମାଡରେ କେନାଲ କୁଳକୁ ଲାଗିଯାଇଥିଲା । ଜାହଜର ଆକାର କାରଣରୁ ଅନ୍ୟ ଜାହଜଙ୍କୁ ରାସ୍ତା ମିଳିନଥିଲା ଫଳରେ ଟ୍ରାଫିକ୍ ଜାମ ଲାଗିଥିଲା । ମିଶର ସରକାର ସାମୁଦ୍ରିକ ଟ୍ରାଫିକକୁ ଡାଇଭର୍ଟ କରିବା ପାଇଁ ଶେଷରେ କେନାଲର ପୁରୁଣା ଚ୍ୟାନେଲକୁ ଖୋଲିଥିଲେ । ଫଳରେ ଅଟକି ରହିଥିବା ଜାହଜ ଆଗକୁ ବଢିଥିଲେ ।

ଜାହଜର ଆକାର କେତେ ?
ତାଇୱାନ କମ୍ପାନୀ ଏଭରଗ୍ରୀନ ମରିନର ଏହି ଜାହଜ ୨୦୧୮ ମସିହାରେ ତିଆରି ହୋଇଥିଲା । ଯାହାର ଲମ୍ବ ୪ଶହ ମିଟର(୧୩୧୨ ଫୁଟ) ଓ ଓସାର ୫୦ ମିଟର । ଏହାର ମାଲବହନ କ୍ଷମତା ହେଉଛି ୧,୧୯,୦୦୦ ଟନରୁ ଅଧିକ । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ହେବ ଏଭର ଗିଭେନର ଆକାର ସେତିକି । ଅନେକ ପ୍ରକାରର ମାଲବାହକ ଜାହଜ ରହିଛନ୍ତି । ଯାହାମଧ୍ୟରୁ ପୈନାମାକ୍ସ ଶ୍ରେଣୀର ଜାହଜଙ୍କ ଲମ୍ବ ୩ଶହ ମିଟରରୁ ଅଧିକ ହୋଇଥାଏ । ସେହିଭଳି ଅଲ୍ଟ୍ରା ଲାର୍ଜ କଣ୍ଟେନର ସିପ୍ ଗୁଡିକଙ୍କ ଲମ୍ବ ୩୬୬ ମିଟର ହୋଇଥାଏ ।ଯେତେବେଳେକି ଏଭର ଗିଭନ ଅଲ୍ଟ୍ରା ଲାର୍ଜ ସିପ୍ ଠାରୁ ୪୦ ମିଟର ଅଧିକ ଲମ୍ବ । ୨୦ଫୁଟ ଲମ୍ବ ବିଶିଷ୍ଟ ୨୦ ହଜାର ସିପିଂ କଣ୍ଟେନରକୁ ବହନ କରିବାର କ୍ଷମତା ଏହି ଜାହଜର ରହିଛି ।

କେତେ ଦିନ ଲାଗିବ ଜାହଜ ଠିକ୍ କରିବାକୁ ?
ସୁଏଜ କେନାଲ ଭୂମଧ୍ୟସାଗର ଓ ଲୋହିତ ସାଗରକୁ ଯୋଡିଥାଏ । ବିଶ୍ୱର ୧୨ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ଏହି ରୁଟରେ ହୋଇଥାଏ । ୨୦୨୦ରେ ଏହି କେନାଲ ଦେଇ ୧୯ ହଜାର ଜାହଜ ଯାଇଥିଲେ । ଯାହାର ଅର୍ଥ ହେଉଛି ପ୍ରତ୍ୟହ ୫୧ରୁ ଅଧିକ ଜାହଜ ଏହି କେନାଲକୁ ଅତିକ୍ରମ କରିଥାନ୍ତି ।

ସୁଏଜ କେନାଲର ଲମ୍ବ କେତେ ?
ସୁଏଜ କେନାଲ ମାନବ ନିର୍ମିତ କୃତ୍ରିମ କେନାଲ । ଏହାର ନିର୍ମାଣ ୧୮୬୯ରେ ହୋଇଥିଲା । ୧୯୩ କିଲୋମିଟର ଲମ୍ବର ଏହି କେନାଲରେ ତିନୋଟି ହ୍ରଦ ରହିଛି । ୨୦୧୫ ମସିହାରେ ମିଶର ସରକାର ଏହି କେନାଲର ବିସ୍ତାର କରିଥିଲେ । ଏହି କେନାଲ ୨୦୫ ମିଟର ଚଉଡା ଓ ୨୪ ମିଟର ଗଭୀର ।

ଟ୍ରାଫିକ୍ ଜାମ୍ ଯୋଗୁ କେତେ ଖର୍ଚ୍ଚ ?
ବୁଧବାର ଦିନ ଏହି ଜାହଜ ଯୋଗୁ ୧୮୬ ଅଲଗା ମାଲବାହକ ପୋତ କେନାଲରେ ଅଟକି ରହିଥିଲେ । ଏକ ହିସାବ ଅନୁସାରେ ଟ୍ରାଫିକ ଜାମ୍ କାରଣରୁ ସୁଏଜ କେନାଲକୁ ଘଣ୍ଟା ପ୍ରତି ୪ଶହ ମିଲିୟନ ଡଲାର କ୍ଷତି ସହିବାକୁ ପଡୁଛି । ଏହା ସହ ଏହି ରାସ୍ତା ଦେଇ ଯାଉଥିବା ଅଏଲ ଟ୍ୟାଙ୍କରଗୁଡିକ ମଧ୍ୟ ଅଟକି ରହିବେ । ଫଳରେ ତୈଳ ମୁଲ୍ୟରେ ୪ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି । ଯାହାର ଅର୍ଥ ହେଉଛି ସୁଏଜ କେନାଲଠାରୁ ୫ ହଜାର୪୩୮ କିଲୋମିଟର ଦୂରରେ ଥିବା ଭୁବନେଶ୍ୱର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।

Leave a Reply