ବାବାଙ୍କ ନିର୍ଦ୍ଦେଶରେ ୪ ଫୁଟ୍ ମାଟି ଖୋଳିବା ପରେ ବାହାରିଲା ସୁଦର୍ଶନ ଚକ୍ର,ଭିଡ଼ିଓ ହେଲା ଭାଇରାଲ

ପିପିଲି : ସରୁନି ଅନ୍ଧ ବିଶ୍ୱାସ । ଏବେ ବି ଲୋକେ ବିଶ୍ୱାସ କରୁଛନ୍ତି  ଭଣ୍ଡ ବାବାଙ୍କୁ । ତଥାକଥିତ ଭଣ୍ଡ ବାବାଙ୍କ ନିର୍ଦ୍ଦେଶକୁ ଅନ୍ଧ ଭଳି ବିଶ୍ୱାସ କରୁଛନ୍ତି ଲୋକେ । ଘରେ ଯଦି ଅଶାନ୍ତି ଲାଗି ରହୁଛି ତେବେ ଲୋକେମାନେ ଧାଉଁଛନ୍ତି ବାବାଙ୍କ ପାଖକୁ । ନିଜ ନିଜ ଭିତରେ ଥିବା ସମସ୍ୟାକୁ ସମାଧାନ କରିବା ବଦଳରେ ବାବାମାନଙ୍କ ନିର୍ଦ୍ଦେଶକୁ ବେଦର ଗାର ଭଳି ପାଳନ କରୁଛନ୍ତି ଏମାନେ । ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଯେଉଁଠାରେ ଏକ ଆତ୍ମଘୋଷିତ ବାବାଙ୍କ କରିସ୍ମା ବୋଲି ଲୋକମାନେ ବିଶ୍ୱାସ କରୁଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରୁ ।

ପୁରୀ ଜିଲ୍ଲା ସତ୍ୟବାଦୀ ବଳପୁର ଗାଁରେ ଅନ୍ଧବିଶ୍ୱାସ ଆଳରେ କୋଭିଡ କଟକଣା ନିୟମକୁ ଉଲ୍ଲଂଘନ କରିଛନ୍ତି ପରିବାର। କେବଳ ପୂଜାର୍ଚ୍ଚନା ନୁହେଁ ପରିବାର ଭୋଜି ଭାତର ମଧ୍ୟ ଆୟୋଜନ କରିଥିଲେ । ଯେଉଁଠି ସରକାର କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ସେଠି ଏମିତି ଭୋଜି ଭାତର ଆସରା କରୋନାକୁ ନିୟନ୍ତ୍ରଣରେ ଆଣିବାର ସବୁ ପ୍ରୟାସକୁ ବିଫଳ କରୁଛି ।

ସୂଚନା ଅନୁସାରେ, ଘଟଣା ସ୍ଥଳରେ ପୂଜାର୍ଚ୍ଚନା କରି ୪ ଫୁଟ ମାଟି ଖୋଳି ସୁଦର୍ଶନ ଚକ୍ର ବାହାର କରିଥିଲେ ଜଣେ ବାବା। ମାଟି ଭିତରେ ସୁଦର୍ଶନ ଚକ୍ର ଥିବାରୁ ପରିବାରରେ ଅଶାନ୍ତି ଲାଗି ରହିଥିବା ବାବା ଜଣକ ଦାବି କରିଥିଲେ । ଏଥିପାଇଁ ବଡ ଧରଣର ପୂଜାର ଆୟୋଜନ କରାଯିବା ସହ ଭୋଜି ଭାତର ଆୟୋଜନ କରିବାକୁ କୁହାଯାଇଥିଲା । ଯାହାକୁ ପାଳନ କରିଥିଲେ ପରିବାର ଲୋକେ । ଏବଂ ବାବ ଜଣଙ୍କ ମାଟି ତଳୁ ବାହର କରିଥିଲେ ସୁଦର୍ଶନ ଚକ୍ରକୁ ଓ ଏହି ଚକ୍ର ୫୦୦ବର୍ଷ ପୁରୁଣା ଏବଂ ଏହା କଳାପାହାଡ଼ ସମୟର ବୋଲି ଦାବି କରିଛନ୍ତି ପ୍ରରିବାର ଲୋକେ । ଏସବୁର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି  ।  ପୂଜାର ଆୟୋଜନ କରିଥିବା ଜଣେ ବ୍ୟକ୍ତିଙ୍କୁ ସତ୍ୟବାଦୀ ପୋଲିସ ଅଟକ ରଖିଥିବା ପିପିଲି ଏସଡିପିଓ ସୂଚନା ଦେଇଛନ୍ତି  ।

Leave a Reply