ଯୁଦ୍ଧର ସପ୍ତାହେ ମଧ୍ୟରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସୁଦାନ, ଏପର୍ଯ୍ୟନ୍ତ ସୁଦ୍ଧା ୪୦୦ ମୃତ

1 min read

ଖାର୍ତୁମ: ସୁଦାନ ଗତ ଏକ ସପ୍ତାହ ହେବ ଜଳୁଛି । ଗତ ଏପ୍ରିଲ ୧୫ ତାରିଖରୁ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷ କାରଣରୁ ଏପର୍ଯ୍ୟନ୍ତ ସୁଦ୍ଧା ୪୦୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜଧାନୀ ଖାର୍ତୁମ ସହିତ ସୁଡାନର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ସୁଦାନରେ ପ୍ରବଳ ମାତ୍ରାରେ ଧନଜୀବନ ହାନି ହୋଇଛି । ଏହା ସତ୍ତ୍ୱେ ଏବେବି ଯୁଦ୍ଧ ଜାରି ରହିଛି । ସୁଦାନରେ ସେନା ପ୍ରମୁଖ ଜେନେରାଲ ଅବଦେଲ ଫତାହ ଅଲ ବୁରହାନ ଏବଂ ଆରଏସଏଫର ପ୍ରମୁଖ ଜେନେରାଲ ମହମ୍ମଦ ହମଦାନ ଦଗାଲେଙ୍କ ମଧ୍ୟରେ କ୍ଷମତାର ଲଢେଇ ଜାରି ରହିଛି । ସୁଦାନରେ ସେନା ଏବଂ ଅର୍ଦ୍ଧସୈନିକ ବଳ ମଧ୍ୟରେ କିଏ ଯୁଦ୍ଧ ଜିତିବ, ଏହି କଥାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଲ-ବୁରହାନର ସେନା ଆରଏସଏଫ ତୁଳନାରେ ଅଧିକ ମଜବୁତ ରହିଛି ।

ଏପରି ସ୍ଥିତିରେ ଅର୍ଦ୍ଧସୈନିକ ବଳର ବିଜୟର ସମ୍ଭାବନା କମ୍ ଲାଗୁଛି । ଅବଶ୍ୟ ସହରୀ ଅଞ୍ଚଳରେ ଅର୍ଦ୍ଧସୈନିକ ବଳର ଯବାନ ସେନା ଉପରେ ଭାରି ପଡ଼ିବେ । ଅଲଜଜିରାର ଏକ ରିପୋର୍ଟ ଅନୁଯାୟୀ ଜାରି ହିଂସା ଆଁରେ ଆଉ ଅନେକ ସହର ଶୀଘ୍ର ଆସିପାରେ । ସୁଦାନର ରାଜଧାନୀ ଖାର୍ତୁମରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଓମଡୁରମେନ ଏବଂ ଦାରଫୁର ସମେତ ଅନେକ ସହରକୁ ନିଜ କବଜାରେ ନେଇଛି । ଇଣ୍ଟରନ୍ୟାସନାଲ କ୍ରାଇସିସ୍ ଗ୍ରୁପର କହିବା ଅନୁସାରେ ସେନା ଏବଂ ଅର୍ଦ୍ଧସୈନିକ ବଳ ମଧ୍ୟରେ ଜାରି ଏହି ହିଂସା ଏକ ଯୁଦ୍ଧର ରୂପ ନେଉଛି । ଆଗାମୀ ଦିନରେ ଏହି ଯୁଦ୍ଧର ପ୍ରଭାବ ପଡୋଶୀ ଦେଶଗୁଡ଼ିକ ଉପରେ ମଧ୍ୟ ପଡ଼ିପାରେ । ଭୟଙ୍କର ସ୍ଥିତି ଉତ୍ପନ୍ନ ହୋଇପାରେ । ଗୃହଯୁଦ୍ଧ କାରଣରୁ ସୁଦାନରରେ ଯୌନ ଶୋଷଣ, ବଳାତ୍କାର ଭଳି ଘଟଣା ବହୁତ ବଢ଼ିଯାଇଛି ।