ସୁଦାନରେ ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ତୀବ୍ର ସଂଘର୍ଷ, ଜଣେ ଭାରତୀୟଙ୍କ ସମେତ ୫୬ ମୃତ

1 min read

ନୂଆଦିଲ୍ଲୀ: ଅଶାନ୍ତ ସୁଦାନ । ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ଆକାର ଧାରଣ କରିଛି । ହିଂସାରେ ୫୬ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଡାଲ ଗ୍ରୁପ କମ୍ପାନୀରେ କାର୍ଯ୍ୟରତ ଆଲବର୍ଟ ଅଗଷ୍ଟାଇନ । ଖାର୍ଟୁମରେ ସବୁଠାରୁ ତୀବ୍ର ଆକାର ଧାରଣ କରିଛି ହିଂସା । ସୁଦାନରୁ ସାଉଦି ଆରବ ଅଭିମୁଖେ ଯିବା ଲାଗି ଉଡାଣ ଆରମ୍ଭ କରିଥିବା ଏୟାରବସ୍ ଏ୩୩୦ ଉପରେ ବି ହୋଇଛି ଆକ୍ରମଣ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର । ସେପଟେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ସୁଦାନ ଅଭିମୁଖୀ ବିମାନଗୁଡିକୁ ଫେରାଇ ନିଆଯାଇଛି ।

ବିଶ୍ବର ସବୁଠାରୁ ଦରିଦ୍ର ରାଷ୍ଟ୍ର ଭାବେ ପରିଗଣିତ ସୁଡାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଷ୍ଟ୍ରପତି ଭବନ ଓ ଖାର୍ଟୁମ ବିମାନ ବନ୍ଦରକୁ ଅର୍ଦ୍ଧସାମରିକ ବାହିନୀ ନିଜ କବଜାକୁ ନେଇଥିବା ସୂଚନା ମିଳିଛି । ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା ଆରଏସଏଫକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ମହମ୍ମଦ ହାମଦାନ କହିଛନ୍ତି- ସମସ୍ତ ଆର୍ମି ବେସକୁ ଅଧିକୃତ କରିବା ଯାଏ ସଂଗ୍ରାମ ଜାରି ରହିବ । ସେପଟେ ସାମରିକ ନେତା ଆବଦେଲ ଫତାହ କହିଛନ୍ତି- ଅର୍ଦ୍ଧସାମରିକ ବାହିନୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ଯାଏ କୌଣସି କଥାବାର୍ତ୍ତା କରାଯିବ ନାହିଁ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆମେରିକା, ବ୍ରିଟେନ, ଇୟୁ, ଚୀନ ଓ ଋଷ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।