କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍ କଲେ ସୁଦାମ ମାର୍ଣ୍ଡି

ଭୁବନେଶ୍ବର: ଅମର୍ଦ୍ଦା ଏୟାରଷ୍ଟ୍ରିପ ନେଇ ବିଜେପିକୁ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜବାବ। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍ କରିଛନ୍ତି ସୁଦାମ ମାର୍ଣ୍ଡି। ଅମର୍ଦ୍ଦା ଏୟାରଷ୍ଟ୍ରିପ ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏବାବଦରେ ଏନଓସି ପ୍ରଦାନ କରିବା ପାଇଁ ଡିଆରଡିଓକୁ ନିର୍ଦ୍ଦେଶ ଦେବାକୁ ୨୦୨୨ରେ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖାଯାଇଥିଲା। ବିଭାଗର ୧୬୦. ୩୫ ଏକର ଜମିରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଏହାପରେ ଅନୁମତି ମିଳିଥିଲା। ପ୍ରତିରକ୍ଷା ବିଭାଗ ଜମି ବାବଦକୁ ରାଜ୍ୟ ସରକାରଙ୍କ ଠାରୁ କ୍ଷତିପୂରଣ ଚାହିଁଥିଲା।

ରାଜ୍ୟ ସରକାର ଜମି ବାବଦକୁ ୨୬ କୋଟିରୁ ଅଧିକ ଟଙ୍କା ଗତ ଅଗଷ୍ଟ ମାସରେ ପ୍ରଦାନ କରିଥିଲେ। ଜମି ହସ୍ତାନ୍ତର ସଂକ୍ରାନ୍ତୀୟ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗରୁ ସମ୍ପନ୍ନ ହୋଇଥିବାରୁ ଗତ ୧୦ ଅକ୍ଟୋବରରେ ଜମି ହସ୍ତାନ୍ତର ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ନଥିବା ରାଜ୍ୟ ସରକାର ଜଣାଇଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଅନେକ ଜମି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭାଗକୁ ଦିଆଯାଇଛି। ଏଥିପାଇଁ କୈାଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ। ପ୍ରକ୍ରିୟା ସରିବା ପରେ ତୁରନ୍ତ ଜମି ହସ୍ତାନ୍ତର କରାଯାଏ।

ରାଜ୍ୟ ସରକାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପାଇଁ ସମସ୍ତ ପ୍ରକ୍ରିୟା ସାରିଥିବାରୁ ଏଥିରେ ଆଉ କୈାଣସି ସମସ୍ୟା ଉପୁଜିବା କଥା ନୁହେଁ ବୋଲି ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। ନିର୍ବାଚନ ମଣ୍ଡଳୀ ଲୋକଙ୍କ ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେଇନାହାନ୍ତି ବିଶ୍ୱେଶ୍ୱର ଟୁଡୁ। ବାଙ୍ଗିରିପୋଷିରୁ ବିଶୋଇ ଘାଟି ରାସ୍ତାର ଅବସ୍ଥା ସଭିଏଁ ଦେଖୁଛନ୍ତି। ସଂକୀର୍ଣ୍ଣ ଓ ଖରାପ ରାସ୍ତା ପାଇଁ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କେବେ ମଧ୍ୟ ମୁହଁ ଖୋଲିନାହାନ୍ତି। ମୟୂରଭଞ୍ଜବାସୀ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି ବୋଲି ସୁଦାମ ମାର୍ଣ୍ଡି କହିଛନ୍ତି।