ବ୍ରହ୍ମୋସ ଆଣ୍ଟି ସିପ୍ ଭର୍ସନର ସଫଳ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ପରୀକ୍ଷା ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ଆଣ୍ଟି ସିପ୍‌ ଭର୍ସନ୍‌ । ଆଣ୍ଡାମାନ ନିକୋବର ଦ୍ୱୀପରୁ ବୁଧବାର ମଧ୍ୟାହ୍ନରେ ସଫଳତାର ସହିତ ଏହି ପରୀକ୍ଷା କରାଯାଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ବ୍ରହ୍ମୋସର ଆଣ୍ଟି ସିପ୍‌ ଭର୍ସନକୁ ବିଶେଷକରି ସମୁଦ୍ରରେ ଥିବା ଶତୃପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାରେ ବ୍ୟବହାର କରାଯାଇ ପାରିବ । ଶବ୍ଦର ବେଗଠାରୁ ୪ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶତୃ ପକ୍ଷର ଜାହାଜକୁ ୭୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍‌ କରିପାରିବ ।

ଏହି ପରୀକ୍ଷାରେ ପ୍ରଥମଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଓ କମାଣ୍ଡ ଗାଇଡେଡ୍ ସିଷ୍ଟମକୁ ବ୍ୟବହାର କରାଯାଇଥିଲା । ଏହା ବ୍ରହ୍ମୋସ ଭଳି ସୁପରସୋନିକ୍‌ କ୍ଷେପଣାସ୍ତ୍ରକୁ ସଠିକ୍‌ ଭାବେ ସଫଳତାର ସହିତ ଟାର୍ଗେଟକୁ ହିଟ୍‌ କରିପାରିଛି ବୋଲି ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ବ୍ରହ୍ମୋସରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହାର ଲମ୍ବ ୮.୪ ମିଟର ଥିବାବେଳେ ଏହାର ଓଜନ ୩ ହଜାର କିଲୋଗ୍ରାମ ରହିଛି ।