୨ ବର୍ଷ କୁନି ଭଉଣୀକୁ ବଞ୍ଚାଇଲା ୪ ବର୍ଷର ବଡ ଭଉଣୀ, ସଫଳ ହୋଇଛି ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

କଟକ : ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏସସିବି ହେମାଟୋଲୋଜି ବିଭାଗ | ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୨ ବର୍ଷର ଶିଶୁ କନ୍ୟାର ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଝାଡ଼ଖଣ୍ଡ ଧାନବାଦର ଏହି ଶିଶୁ ରୋଗୀଙ୍କ ଶରୀରରେ ନିଜ ୪ ବର୍ଷର ବଡଭଉଣୀର ଶରୀରରୁ ଷ୍ଟେମ୍ ସେଲ୍ ନିଆଯାଇ ପ୍ରତିରୋପଣ କରାଯାଇଛି । ଦୁଇ ଭଉଣୀ ଏବେ ସୁସ୍ଥ ଥିବାବେଳେ, ଥାଲାସେମିଆ, ରକ୍ତ ଶିକୁଳି, ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଏହା ନୂଆ ଆଶା ସଂଚାର କରିଛି।
ଝାଡ଼ଖଣ୍ଡ ଧାନବାଦ ଅଂଚଳର ଏହି ଶିଶୁ କନ୍ୟା ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ଚିକିତ୍ସା ବେଳେ ବଡ ଭଉଣୀ ଠାରୁ ଅସ୍ଥିମଜ୍ଜା ନିଆଯାଇ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏସସିବି ହେମାଟୋଲୋଜି ବିଭାଗର ୧୨ ଜଣିଆ ଡାକ୍ତରୀ ଟିମ ସଫଳତାର ସହ ଏଭଳି ଶିଶୁ କନ୍ୟାର ଅସ୍ଥିମଜ୍ଜା ପ୍ରତିରୋପଣ କରିଛନ୍ତି। ଯାହା ରାଜ୍ୟରେ ପ୍ରଥମ ଘଟଣା। ଗତ ଫେବ୍ରୁଆରୀ ୬ ତାରିଖରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଜି ସୁଦ୍ଧା ଏସ୍ସିବି ହେମାଟୋଲୋଜି ବିଭାଗରେ ୧୭୬ ଜଣଙ୍କଠାରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲେ ବି ପ୍ରଥମ ଥର ଜଣେ ଶିଶୁର ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।
ବୋକାରୋ, ଭିଲାଇ ପରେ ଗତବର୍ଷ ଜୁଲାଇ ମାସରେ ଝାଡ଼ଖଣ୍ଡ ଧାନବାଦର ସାରୁଖ ଅନ୍ସାରି ତାଙ୍କ ୨ବର୍ଷର ଝିଅର ଚିକିତ୍ସା ପାଇଁ ଜାମ୍ସେଦ୍ପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ହିଁ ତାଙ୍କର ଜଟିଳ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ । ତେବେ ସେଠାରେ ଏହି ଚିକିତ୍ସା ଉପଲବ୍ଧ ନଥିବାରୁ ତାଙ୍କୁ ଅନ୍ୟତ୍ର ଯିବାକୁ କୁହା ଯାଇଥିଲା । ଚିକିତ୍ସା ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏତେ ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ବାଧକ ସାଜିଥିଲା । ଶେଷରେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଧରି କଟକ ବଡ଼ଡାକ୍ତରଖାନା ପହଞ୍ଚିଥିଲେ। ଏସସିବିରେ ଜାନୁଆରୀ ୭ ତାରିଖରେ ୨ବର୍ଷର ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗତ ୬ ତାରିଖରେ ନିଜ ୪ ବର୍ଷର ବଡ଼ ଭଉଣୀର ଷ୍ଟେମ ସେଲ ନିଆଯାଇ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ନିଜ ଝିଅର ଜୀବନ ବଞ୍ଚିଯାଇ ଥିବାରୁ ପରିବାର ଲୋକେ ଏସସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।