ସମୁଦ୍ର ଭିତରେ ୨,୩୧୨ କିମି କେବୁଲ, ଆଣ୍ଡାମନ ପର୍ଯ୍ୟନ୍ତ ପହଞ୍ଚିଲା ଫାଷ୍ଟ- ସ୍ପିଡ ଇଣ୍ଟରନେଟ୍

1 min read

ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର  । ଆଉ ରହିବନି ଇଣ୍ଟରନେଟ୍‌ ସମସ୍ୟା  । ଏବେ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ  ନିକୋବରବାସୀ  । ଆଜି ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍‌ଟିକାଲ ଫାଇବର୍‌ କେବୁଲ- OFCର ଉଦ୍‌ଘାଟନ କରିଛନ୍ତି  ।

ସବ୍‌ମେରିନ ଫାଇବର କେବୁଲ ଉଦ୍‌ଘାଟନ କରିଛନ୍ତି ମୋଦି । ଚେନ୍ନାଇ ଓ ପୋର୍ଟ ବ୍ଳେଆରକୁ ଯୋଡୁଛି ଏହି ଅପ୍‌ଟିକାଲ ଫାଇବର୍‌ କେବୁଲ-OFC । ଏହା ଫଳରେ ଆଣ୍ଡାମାନ ନିକୋବରର ପ୍ରାୟ ୧୨ଟି ଦ୍ୱୀପରେ ଏବେ ହାଇ ସ୍ପିଡ଼ ଇଣ୍ଟରନେଟ୍‌ ସେବା ମିଳିବ । ୧୦ଗୁଣା ଅଧିକ ସ୍ପିଡ୍‌ ହେବ ଏଠାକାର ଇଣ୍ଟରନେଟ୍‌ ସେବା ।

ହାଇସ୍ପିଡ୍‌ ଇଣ୍ଟରନେଟ ସେବା ମିଳିବା ପରେ ବ୍ୟାଙ୍କିଙ୍ଗ୍‌ ସେବାଠାରୁ ଆରମ୍ଭ କରି ଅନ୍ୟକ୍ଷେତ୍ରରେ ମଧ୍ୟ ଲୋକ ଉପକୃତ ହେବେ । ୧ହଜାର ୨୨୪ କୋଟି ଟଙ୍କା ବ୍ୟୟରେ ୨୩ ଶହ କିଲୋମିଟର ପର୍ଯ୍ୟନ୍ତ ଅପ୍‌ଟିକାଲ ଫାଇବର୍‌ କେବୁଲ-OFC ବିଛା ଯାଇଛି । ଏହି କେବୁଲ ଜରିଆରେ ଇଣ୍ଟର୍‌ନେଟ୍‌ ସହିତ ଭାରତକୁ ସାମରିକ କ୍ଷେତ୍ରରେ ମଧ୍ୟ ମିଳିବ ବଡ଼ ସଫଳତା  । ଏହି ଅଞ୍ଚଳରୁ ଇଣ୍ଡୋନେସିଆ ଓ ଚୀନର ସମସ୍ତ ଗତିବିଧି ଉପରେ ଏବେ ନଜର ରଖିବା ପୂର୍ଵଠାରୁ ସହଜ ହେବ ।

ଆଣ୍ଡାମାନ ନିକୋବରର ମୁଖ୍ୟ ସଚିବ ଚେତନ ସାଙ୍ଘୀ କହିଛନ୍ତି, ଭାରତ ସରକାର ଦ୍ୱାରା ଆଣ୍ଡାମାନ ପାଇଁ ଚେନ୍ନାଇରୁ ଯେଉଁ ଅଣ୍ଡର ସି କେବଲ ଯୋଗ ହେଉଛି, ସେଥିପାଇଁ ଆଣ୍ଡମାନ ବାସୀ ଭାରତ ସରକାର ଏବଂ ମୁଖ୍ୟତଃ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରୁଛୁ । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଆଣ୍ଡାମାନ ଆସିଥିଲେ, ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ୨୦ ବର୍ଷ ପରେ ଆଣ୍ଡାମାନବାସୀଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

ଜଣାଇ ରଖୁଛୁ ଯେ ଏହି ପ୍ରକଳ୍ପ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଦ୍ୱାରା କାର୍ଯ୍ୟକାରୀ ହେଉଥିବାବେଳେ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଏଲ) ଏହାର ବୈଷୟିକ ପରାମର୍ଶଦାତା ଥିଲେ । ପ୍ରାୟ ୧,୨୨୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୩୦୦ କିଲୋମିଟର OFC ରଖାଯାଇଛି ।

Leave a Reply