ରେଳବାଇ ଓଡିଶାରୁ ସର୍ବାଧିକ ରାଜସ୍ବ ଆଦାୟ କରୁଛି କିନ୍ତୁ ସେହି ଅନୁପାତରେ ଓଡିଶାକୁ ମିଳୁନି ଗୁରୁତ୍ବ : ଶୁଭାଶିଷ ଖୁଣ୍ଟିଆ

1 min read

ନନ୍ଦିଘୋଷ ବ୍ୟୁରୋ: ରେଳବାଇ ଓଡିଶାରୁ ସର୍ବାଧିକ ରାଜସ୍ବ ଆଦାୟ କରୁଛି କିନ୍ତୁ ସେହି ଅନୁପାତରେ ଓଡିଶାକୁ ମିଳୁନି ଗୁରୁତ୍ବ। ଆଜି ସଂସଦରେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ। ପୂର୍ବତଟ ରେଳବାଇରୁ କେନ୍ଦ୍ର ସରକାର ପ୍ରତିବର୍ଷ ପ୍ରାୟ ୨୫ ହଜାର କୋଟି ରାଜସ୍ବ ଆଦାୟ କରୁଛନ୍ତି। କିନ୍ତୁ ରେଳ ବଜେଟରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ ମିଳୁଛି ମାତ୍ର ୧୦ ହଜାର କୋଟି। ଓଡିଶାରୁ ହେଉଥିବା ଆୟ ଅନ୍ୟ ରାଜ୍ୟରେ ରେଳ ବିକାଶରେ ଖର୍ଚ୍ଚ ହେଉଛି। ସମାନ୍ତରାଳ ରେଳ ବିକାଶକୁ ବିଜେଡି ବିରୋଧ କରୁନଥିଲେ ବି ଓଡିଶାରୁ ତାର ହକ ମିଳୁ ବୋଲି ସେ ଦାବି କରିଛନ୍ତି। ବିହାର, ପଶ୍ଚିମବଙ୍ଗ ଓ ପଂଜାବ ତୁଳନାରେ ଓଡିଶାର ରେଳପଥ ଘନତା ସବୁଠୁ କମ। ଓଡିଶାରୁ ହେଉଥିବା ରେଳବାଇ ରାଜସ୍ବରୁ ଅନ୍ୟୁନ ୭୦ ପ୍ରତିଶତ ରାଜ୍ୟର ରେଳ ଭିତ୍ତିଭୂମି ଓ ଯାତ୍ରୀ ସୁବିଧା ପାଇଁ ଖର୍ଚ୍ଚ କରିବାକୁ ସେ ଦାବି କରିଛନ୍ତି। ଏଥିସହିତ କଞ୍ଚାମାଲ ପରିବହନ ପାଇଁ ଶିଳ୍ପ ସମୃଦ୍ଧ ଓ ବନ୍ଦର ଭିତ୍ତିକ ଅଞ୍ଚଳକୁ ନେଇ ରାଜ୍ୟରେ ଏକ ଉତ୍ସର୍ଗୀକୃତ ରେଲୱେ କରିଡର ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ରର ଅଣଦେଖା ଯୋଗୁ ଗଂଜାମ ଜିଲ୍ଲାରେ ପ୍ରସ୍ତାବିତ ଓ୍ବାଗନ କାରଖାନା ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ ହୋଇଗଲା। କଳାହାଣ୍ଡିରେ ପ୍ରସ୍ତାବିତ ଇଲେକ୍ଟ୍ରୋ ଲୋକୋ ୱାର୍କସପ୍  ପାଇଁ ୧୦୦ ଏକର ଜମି ଦିଆଯାଇଥିଲେ କି କାମ ଆରମ୍ଭ ହେଉନି। ଏବେ ବି କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ଦେବଗଡ ଓ ମାଲକାନଗିରି ଜିଲ୍ଲାକୁ ରେଳପଥ ଛୁଇଁନଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି। ରାଜଧାନୀ ଏକ୍ସପ୍ରେସକୁ ପୁରୀ ପର୍ଯନ୍ତ ସଂପ୍ରସାରିତ କରିବା ସହ ପୁରୀ-କୋଣାର୍କ-ଚିଲିକା ଏବଂ ଜଳେଶ୍ବର-ଦୀଘା ରେଳପଥ ପାଇଁ ସେ ଦାବି ରଖଛନ୍ତି।