ସୁଭଦ୍ରା ଯନ୍ତ୍ରଣା: ମାଆ କୋଳକୁ ଫେରିଲା ଡାକଘର ସମ୍ମୁଖରେ ଜନ୍ମ ପରେ ଚୋରି ହୋଇଥିବା ଶିଶୁକନ୍ୟା

ଭଦ୍ରକ: ସୁଭଦ୍ରା ଯୋଜନା ପାଇଁ ରାସନ କାର୍ଡ ଅପଡେଟ କରିବାକୁ ଆସି ଡାକ ଘର ଆଗରେ ଆଦିବାସୀ ମହିଳା ଶିଶୁକନ୍ୟାକୁ ଜନ୍ମ ଦେବା ଓ ପରେ ପିଲା ଚୋରି ହେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ମିଳିଥିବା ତଥ୍ୟ ଅନୁସାରେ ଚୋରି ଶିଶୁକନ୍ୟାକୁ ପୋଲିସ ଉଦ୍ଧାର କରିଛି । ଭଦ୍ରକର ଅସ୍ତଳରେ ରହୁଥିବା ଜଣେ ମହିଳାଙ୍କ ଘରୁ ଶିଶୁକନ୍ୟାକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, ଭଦ୍ରକରେ ସୁଭଦ୍ରା ରାସନ କାର୍ଡ ଅପଡେଟ ପାଇଁ ଜଣେ ନିରକ୍ଷର ଆଦିବାସୀ ମହିଳା ରାତିସାରା ଅପେକ୍ଷା କରିଥିଲେ ଜିଲ୍ଲା ଡାକଘର ସାମ୍ନାରେ । ସେ ଆସନ୍ନ ପ୍ରସବା ଥିଲେ । ସାରାରାତି ଅପେକ୍ଷା ବେଳେ ଅସହ୍ଯ ଗର୍ଭ ଯନ୍ତ୍ରଣାରେ ଛଟପଟ ମଧ୍ଯ ହୋଇଥିଲେ । ହେଲେ କେହି ଆଗେଇ ଆସି ନଥିଲେ ସହାୟତା ପାଇଁ । ୩ ତାରିଖ ରାତି ଅଧରେ ସେହିଠାରେ ସେ ଏକ କନ୍ଯା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ବେଳେ ଜଣେ ସ୍ଥାନୀୟ ମହିଳା ସାହାଯ୍ୟ ଲାଗି ଆଗେଇ ଆସିଥିଲେ । ସକାଳେ ଡାକଘର ନିକଟରେ କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଦେଖି ଆମ୍ବୁଲାନ୍ସ ଡକାଇ ତାଙ୍କୁ ଭଦ୍ରକ ମେଡିକାଲ ପଠାଇଥିଲେ । ସେଠାରୁ ମହିଳା ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସାହାଯ୍ୟ କରିଥିବା ସଂପୃକ୍ତ ମହିଳା ମଧ୍ଯ ପ୍ରସୂତି ଓ କନ୍ଯା ସନ୍ତାନ ସହ କଟକ ଯାଇଥିଲେ ।

ସୁସ୍ଥ ହେବା ପରେ ଟ୍ରେନ ଯୋଗେ ସେମାନେ ଭଦ୍ରକ ଫେରିଥିଲେ । ତେବେ ଫେରିବା ପରେ ସଂପୃକ୍ତ ମହିଳା ପ୍ରସୂତିଙ୍କ କନ୍ଯାକୁ କୌଶଳ କ୍ରମେ ନେଇ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ସେ ନଫେରିବାରୁ ପ୍ରସୂତି ବନ୍ତ ଛକକୁ ଆସି ସେଠାରୁ ଲୋକଙ୍କ ସହାୟତାରେ ଭଦ୍ରକ ମୁଖ୍ଯ ଡାକଘର ପାଖକୁ ଆସିଥିଲେ । ସେଠାରେ ସମସ୍ତଙ୍କୁ କହିବା ପରେ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା ଉକ୍ତ ମହିଳାଙ୍କ କୌଣସି ଖବର ମିଳି ନଥିବା ଅଭିଯୋଗ ହୋଇଛି ।

ଏବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନା ଓ ରାସନ କାର୍ଡ ଅପଡେଟର ଏପରି କରୁଣ ଚିତ୍ର ସରକାରଙ୍କ ନଜରକୁ ଆସିଛି ନା ନାହିଁ ? ଯଦି ଆସୁଛି ଏଥିପାଇଁ କ’ଣ ପଦକ୍ଷେପ ନିଆଯାଇଛି ?