ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କଟକର ନେତାଜୀ ମ୍ୟୁଜିୟମରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଆଜି ଦେଶର ଦୁଇ ମହାନ ବରପୁତ୍ରଙ୍କ ଜୟନ୍ତୀ । ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କଟକରେ ନେତାଜୀ ମ୍ୟୁଜିୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଗୋଟିଏ ସମୟରେ ସମଗ୍ର ବିଶ୍ୱର ଶ୍ରଦ୍ଧା ଆଉ ସମ୍ମାନ ସାଉଁଟି ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ ଏହି କଟକର ମାଟି, ପାଣି, ପବନରେ । ୧୮୯୭, ଜାନୁଆରି ୨୩ରେ କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଓ କିଶୋର ଅବସ୍ଥାର ମୂକସାକ୍ଷୀ ଏହି ସହର । ଷ୍ଟିୱାର୍ଟ ସ୍କୁଲ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ), ରେଭେନ୍ସା କଲିଜିଏଟ୍ ସ୍କୁଲ ରହିଛି ନେତାଜୀଙ୍କ ମେଧା ଆଉ ପ୍ରତିଭାର ସାକ୍ଷୀ । ବଙ୍ଗାଳୀସାହି ରାମକୃଷ୍ଣ କୁଟୀର, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ, ଯାଜପୁର ମହାମାରୀ ସମୟରେ ସେବା ନେତାଜୀଙ୍କ ସେବାପରାୟଣତା ଭଳି ଅନେକ ଘଟଣାର ସ୍ମୃତି ସଜାଡି ରଖିଛି କଟକ ଆଉ ଓଡ଼ିଶା ମାଟି ।
ସୁରେନ୍ଦେର ସାଏଙ୍କ ବୀରତ୍ୱଗାଥା ମଧ୍ୟ କହିଲେ ନସରେ । ସେ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଥିବା ବରଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ମୃତ୍ୟୁପରେ ସେ ତାଙ୍କ କାକାଙ୍କ ତତ୍ୱାବଧାନରେ ଘୋଡାଚଢା, ଖଣ୍ଡା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂଗ୍ରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ତାଙ୍କ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ । ଇଂରେଜମାନଙ୍କୁ କଡା ଜବାବ ଦେବାପାଇଁ ୭ ଅକ୍ଟୋବର ୧୮୫୭ରେ ବାରଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକତାର ଶିକାର ହୋଇ ସେ ବନ୍ଦୀ ହୋଇଥିଲେ ଓ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ହିଁ ତାଙ୍କର ପରଲୋକ ହୋଇଥିଲା ।
ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ । ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । କଟକ ଗସ୍ତ ପୂର୍ବରୁ ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବେ ନବୀନ । ଇଂରେଜ ଶାସନ ବିରୋଧରେ ଲଢିଥିବା ଏହି ଦୁଇ ବୀର ପୁରୁଷଙ୍କୁ ଜୟନ୍ତୀ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।