ପଲିଥିନ ତଳେ କଟୁଛି ଦମ୍ପତିଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଗରିବ ମାନଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କ ମୋ କୁଡିଆ, ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା ରହିଛି । ହେଲେ ଆଜି ବି ଅସହାୟ ଦମ୍ପତିଙ୍କ ପାଖରେ ପହଞ୍ଚିପାରିନି ଘର ଖଣ୍ଡିଏ । ଫଳରେ ଭଙ୍ଗା ଦଦରା ଘରେ ପଲିଥିନ ତଳେ ଜୀବନ ବିତାଉଛନ୍ତି ଅସହାୟ ଦମ୍ପତି ।

ଭାଙ୍ଗି ଯାଇଛି ଘର । ବାହାର ଅବସ୍ଥା ଯେମିତି ଭିତର ଅବସ୍ଥା ତାଠୁ ଅଧିକ ଖରାପ । ଘର ଭିତରୁ ଦିଶୁଛନ୍ତି ସୂର୍ଯ୍ୟ ଆଉ ଚନ୍ଦ୍ର । ଏହାରି ଭିତରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ଅସହାୟ ଦମ୍ପତି ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଲି ଗାଁର ଅସହାୟ ବୃଦ୍ଧ ସମରୁ ଗୁରୁଙ୍କ ଘର । ଏଇଠି ରୋଷେଇ,ଏଇଠି ଖାଇବା ଆଉ ଏଇଠି ଶୋଇବା । ବହୁ କଷ୍ଟରେ ଦୁଇ ଅସହାୟ ଦମ୍ପତି ଚଳୁଥିଲେ ମଧ୍ଯ ଏପର୍ଯ୍ଯନ୍ତ ଏମାନଙ୍କ ପାଖେ ପହଞ୍ଚି ପାରିନି ସରକାରୀ ଯୋଜନାରେ ଘର ଖଣ୍ଡେ । ଯେଉଁ ଖଣ୍ଡେ ଘର ଥିଲା ତାହା ଏବେ ବର୍ଷାରେ ଭାଙ୍ଗିରୁଜି ଯିବାରୁ ବଡ ଦୟନୀୟ ଭାବେ ଜୀବନ କାଟୁଛନ୍ତି ଦୁହେଁ ।

ଏବେ ବୟସର ଅହରାହ୍ନରେ ସମରୁ । ତାଙ୍କର ନା ଅଛି ପୁଅ ନା ଝିଅ । ପରିବାର କହିଲେ କେବଳ ସ୍ତ୍ରୀ । ସେବି ଦିବ୍ୟାଙ୍ଗ । ନା ଚାଲି ପାରୁଛନ୍ତି ନା କୌଣସି କାମ କରିପାରୁଛନ୍ତି । ନା ପାଖରେ ଅଛି ଜମିବାଡି ନା କାମ କରିବାକୁ ଦେହରେ ବଳ ଅଛି । ଯେଣ ତେଣ ପ୍ରକାରେ ପରିବାର ତ ଚଳାଇ ନେଉଛନ୍ତି କିନ୍ତୁ ଘର ଖଣ୍ଡିଏ କରିବାକୁ ବଳନାହିଁ । ଏଣୁ ସରକାରୀ ଯୋଜନାରେ ଘରଖଣ୍ଡେ ପାଇଁ ବାରମ୍ବାର ବିଭିନ୍ନ ଅଫିସକୁ ଧାଇଁଲେଣି । ହେଲେ ଏଯାଏଁ ସରକାରୀ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି । ଫଳରେ ଆଜିବି ଘରେ ପଲିଥିନ ଢାଙ୍କି ଦୟନୀୟ  ଭାବେ ଜୀବନ ବିତାଉଛନ୍ତି ଦୁହେଁ । ତେଣୁ ସମରୁଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ସରକାର ପାଖରେ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଖୁବଶୀଘ୍ର ସମରୁଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।