ମୋହନ ସରକାରଙ୍କୁ ଜନତାଙ୍କ ପ୍ରଶ୍ନ, ତୁମେ କ’ଣ କରିଛ ?

ସୋନପୁର: ୧୦୦ ଦିନ ପୂରଣ କରିବା ପରେ ରାଜ୍ର ବିଜେପି ସରକାର ଜିଲ୍ଲାସ୍ତରୀୟ ବିକାଶ ମେଳା ବା ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରୁଛି । ପ୍ରତି ଜିଲ୍ଲାରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ୧୦୦ ଦିନର ବିଜେପି ସରକାର କ’ଣ କ’ଣ ବିକାଶ କରିଛନ୍ତି ବର୍ଣ୍ଣନା କରାଯାଉଛି । ହେଲେ ସ୍ଥାନୀୟ ଲୋକେ ବିଜେପିର ଏହି ବିକାଶକୁ ଗ୍ରହଣ କରୁ ନାହାନ୍ତି । ଏମିତି କିଛି ସୁବର୍ଣ୍ଣପୁରରେ ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବରେ ଦେଖିବାକୁ ମିଳିଛି ।

କାର୍ଯ୍ୟକ୍ରମରେ ସାମିଲ ଲୋକେ ରାଜ୍ୟ ସରକାରଙ୍କ ଏହି ବିକାଶ ଚିତ୍ରକୁ ଗ୍ରହଣ କରିନାହାନ୍ତି । ବିଜେଡି ସରକାରଙ୍କ ବିକାଶ ମୂଳକ ଯୋଜନାରେ ରଙ୍ଗ ବୋଳି ମୋହନ ସରକାର ବାହାବା ନେବାରେ ଲାଗିଛନ୍ତି ବୋଲି କହିଛନ୍ତି ଜନତା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ରାସ୍ତା, ଜଳସେଚନ ଓ ମହିଳା ବିକାଶକୁ ନେଇ ଥିବା ଯୋଜନାରେ ଭିନ୍ନ ନାଁ ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ବିଜେପି ସରକାର ଖୁସିରେ ୧୦୦ ଦିନ ପାର କରି ବିକାଶ କରିଥିବା କହୁଥିବା ବେଳେ କେଉଁ ଯୋଜନା ବିଜେପିର ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।

ନିର୍ବାଚନ ପୂର୍ବରୁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଯେପରିକି ୩୦୦ ୟୁନିଟ ବିଜୁଳି ଫ୍ରି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦିଅନ୍ତୁ ବୋଲି ମନେ ପକାଇ ଦେଇଛନ୍ତି ଲୋକେ । ଅନ୍ଯପକ୍ଷେ ମାଆମାନଙ୍କ ସୁଭଦ୍ରା ଯନ୍ତ୍ରଣା କଥା ନ କହିବା ଭଲ ବୋଲି କହିଛନ୍ତି ସାଧାରଣ ଜନତା ।