ଅଦିନିଆ ବର୍ଷା ପରେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବଣୁଆ ହାତୀପଲ

ନନ୍ଦିଘୋଷ ବ୍ୟୁରୋ: ବଣୁଆ ହାତୀପଲଙ୍କ ଉପଦ୍ରବରେ ଚାଷୀ ହତାଶ । ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ଓ ଅଦିନିଆ ବର୍ଷାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯାହା ବି ବଞ୍ଚିଥିଲା ଏବେ ହାତୀ ପାଦରେ ନଷ୍ଟ ହେବାକୁ ବସିଛି । ଧାନ ଅମଳ କରି ବିକ୍ରି କରିବା ପୂର୍ବରୁ ହାତୀ ପଲ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ଦଳିଚକଟି ନଷ୍ଟ କରୁଛନ୍ତି । ସେପଟେ ବନ ବିଭାଗ କିନ୍ତୁ ଚୁପ ରହିଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ । ହାତୀଙ୍କ ପାଇଁ ଧାନ ଚାଷରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।

ଧାନ କ୍ଷେତରେ ହାତୀଙ୍କ ପାଦ ଚିହ୍ନ । ଦଳି ଚକଟି ନଷ୍ଟ କରିଦେଇଛନ୍ତି ଧାନ ଫସଲ । ବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି । ଧାନ ଅମଳ ସମୟ ଥିବାରୁ ଗାଁ ନିକଟ ଜଙ୍ଗଲରୁ ହାତୀ ପଲ ଆସି ଧାନ ଖାଇ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଚଳିତ ବର୍ଷ ଧାନ ଚାଷ ଆରମ୍ଭରୁ ଚାଷୀ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରି ଯେଉଁ ଧାନ ଫସଲ ଫଳାଇଛି, ଏବେ ତାହା ହାତୀ ପାଦରେ ଯିବାକୁ ବସିଛି । ଫଳରେ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛନ୍ତି ଚାଷୀ । ଚଳିତ ବର୍ଷ ଧାନ ଚାଷ ଭଲ ହୋଇଛି । ବଣୁଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏହି ଧାନ ଫସଲ ନଷ୍ଟ ହେବାକୁ ବସିଛି । ଅଭିଯୋଗ କଲେ ମଧ୍ୟ ହାତୀ ଘଉଡ଼ାଇବାକୁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ପ୍ରତିବର୍ଷ ଏହି ଅଞ୍ଚଳରେ ଧାନ ଅମଳ ସମୟରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷତି ସହୁଛି ଚାଷୀ । ଗାଁ ନିକଟ ଜଙ୍ଗଲରେ ରହୁଥିବା ହାତୀପଲ ଖାଦ୍ୟ ଅନ୍ଵେଷଣରେ ଚାଲିଆସୁଛନ୍ତି । ଶହ ଶହ ଏକର ଜମିରେ ଧାନ ଖାଇ ପାଦରେ ଦଳି ନଷ୍ଟ କରୁଛନ୍ତି । ବିଗତ ବର୍ଷରେ ହାତୀ ଯୋଗୁଁ ଚାଷର କ୍ଷତିପୂରଣ ଠିକଭାବେ ପାଇନଥିବା ବେଳେ ଏବେ ପୁଣି ହାତୀ ଉପଦ୍ରବର ଶୀକାର ହୋଇଛନ୍ତି ଚାଷୀ । ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ସହିତ ହାତୀ ଘଉଡ଼ାବାକୁ ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି । ଅପରପକ୍ଷରେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିଛି । ଚାଷୀଙ୍କୁ ଉଚିତ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।

୨୧ ଟିକିଆ ହାତୀ ପଲଙ୍କ ଯୋଗୁଁ ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ ଭୟର ବାତାବରଣ । ହାତୀପଲଙ୍କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲର ଉଚିତ କ୍ଷତିପୂରଣ ପାଇଁ ଦାବି ହୋଇଛି ।