ଅନ୍ଧାରରେ ଶୈଶବ, ପ୍ରାକ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଶିଶୁ

ନନ୍ଦିଘୋଷ ବ୍ୟୁରୋ: ଅନ୍ଧାରରେ ଶୈଶବ । ପ୍ରାକ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଶିଶୁ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗିନ୍ଦିଲାମାଲରେ ଦିଗହରା ପାଲଟିଛି ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା । ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦିନ ହେଲା କର୍ମୀ ନଥିବାରୁ କେନ୍ଦ୍ରର ସହାୟିକା ପିଲାଙ୍କୁ ବେଳେବେଳେ ପାଠ ପଢାଉଛନ୍ତି । ନାହିଁ ନାହିଁରେ ଚାଲିଛି ଗିନ୍ଦିଲାମାଲ ଅଙ୍ଗନବାଡି କେନ୍ଦ୍ର।

ଏଣେତେଣେ ବୁଲୁଛନ୍ତି ଅଙ୍ଗନବାଡି ଛାତ୍ରଛାତ୍ରୀ । କେନ୍ଦ୍ର ବି ଖୋଲା ଅଛି । ଏପଟେ ରୋଷେଇ ବି ଚାଲିଛି । ବେଳେବେଳେ ପିଲାଙ୍କୁ ପାଠ ବି ପଢା ଚାଲିଛି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଗାଁ ଗିନ୍ଦଲାମାଲ ଅଙ୍ଗନବାଡି କେନ୍ଦ୍ରର ଦୃଶ୍ଯ । ଏହି କେନ୍ଦ୍ରରେ ପ୍ରାୟ ୨୮ ଜଣ ପିଲା ଅଛନ୍ତି । ହେଲେ ଦୁଃଖର କଥା ଏଠାରେ ପାଠ ପଢ଼ାଉଥିବା ମହିଳା ଜଣଙ୍କ ଅଙ୍ଗନବାଡ଼ି କର୍ମୀ ନୁହଁନ୍ତି । ସେ ହେଉଛନ୍ତି ଏହି କେନ୍ଦ୍ରର ସହାୟିକା । ସେ କେବଳ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଇ କେନ୍ଦ୍ରକୁ ଛୁଟି କରି ଦିଅନ୍ତି । କେତେବେଳେ କେମିତି ଟିକିଏ ସମୟ ମିଳିଲେ ପିଲାଙ୍କୁ ପାଠ ପଢାଇଥାନ୍ତି । ତେବେ କର୍ମୀ ନଥିବାରୁ ଏହି ଅଞ୍ଚଳର ଶିଶୁମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏସ ପତ୍ରାପାଲି ପଞ୍ଚାୟତର କୁସୁମପାଲ, ଦାବପାଲ, ଡେଙ୍ଗୁରଦର୍ହ, ଦେଝରନ୍ ସହ ଗିନ୍ଦଲାମାଲ୍ ଗାଁର ଶିଶୁ ମାନେ ଏହି ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏହି କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇନଥିବା ଯୋଗୁଁ ଛୋଟ ପିଲାମାନଙ୍କ ଭବିଷ୍ଯତ ଅନ୍ଧାରକୁ ଠେଲି ହୋଇଯାଇଛି । ତେଣୁ ଅଙ୍ଗନବାଡିରେ ଖୁବଶୀଘ୍ର କର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ଯପଟେ ତୁରନ୍ତ କିଭଳି କର୍ମୀ ନିଯୁକ୍ତି କରାଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ଉପଜିଲ୍ଲାପାଳ ।