ଗରିବଙ୍କ ଗୁହାରି ଶୁଣିବା ପାଇଁ ଅପହଞ୍ଚ ଇଲାକାର ୩ କି:ମି ପାହାଡ଼ ଚଢିଲେ ଉପ-ଜିଲ୍ଲାପାଳ

1 min read

ରାୟଗଡ଼ା: ଅନ୍ଧାରି ମୁଲକରେ ଭୋକର ଭୂଗୋଳ ପଢ଼ିବାକୁ ପହଞ୍ଚିଥିଲେ ଉପ-ଜିଲ୍ଲାପାଳ । ନା ପାଖରେ ଥିଲା ସରକାରୀ ଗାଡ଼ି ନା ଥିଲା ମୋଟର ସାଇକେଲ । ଜଙ୍ଗଲୀ ଖାଲଖମା ରାସ୍ତା ଦେଇ ପହଞ୍ଚିଥିଲେ ଅପହଞ୍ଚ ଇଲାକାରେ । ନିରୀହ ଆଦିବାସୀଙ୍କ ମନର କଥାକୁ ପଚାରି ବୁଝିଥିଲେ ଉପଜିଲ୍ଲାପାଳ ।

ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅଧିନସ୍ଥ ଦୁର୍ଗମ ଆଦିବାସୀ ଅଧୁସିତ ଅଞ୍ଚଳ ରଘୁବାରି ଘାଟିର ଡ଼ିମିରିଗୁଡା ପଞ୍ଚାୟତର ଅପହଞ୍ଚ ଚାରିଟି ଗାଁ । କେସୁର ଓ ଉଚେପାରୁ, ପାଟଣା, ପୋଏଲଝରନ ଗାଁର ସମସ୍ୟା ବୁଝିବା ପାଇଁ ତିନି କିଲୋମିଟର ପାହାଡ଼ ପର୍ବତ ଘେରା ଅଙ୍କା ବଙ୍କା ରାସ୍ତାରେ ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚିଲେ ଗୁଣୁପୁର ଉପ-ଜିଲ୍ଲାପାଳ ସୋନାଲ ଜେନା ।

ତାଙ୍କ ସାଥିରେ ଥିଲେ ମୁନିଗୁଡ଼ା ବ୍ଲକର ବିଡ଼ିଓ ଦିଲ୍ଲୀପ କୁମାର ବେହେରା, ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼, ମୁନିଗୁଡ଼ା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଦୁଇଟି ଗାଁରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିଥିଲେ ।

ମୁଖ୍ୟ ସମସ୍ୟା ଗମନା ଗମନ ପାଇଁ ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ବିଷୟ ଉପ- ଜିଲ୍ଲାପାଳ ଜେନାଙ୍କୁ ଗ୍ରାମବାସୀ ଅବଗତ କରାଇଥିଲେ ।

ଉପ-ଜିଲ୍ଲାପାଳ ଗାଁରେ ଲାଗିରହିଥିବା ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେଇ କିପରି ସେମାନଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ହେବ ସେନେଇ RWSSର ଯନ୍ତ୍ରୀକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଦିନ ଗୁଡ଼ିକରେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ ।

Leave a Reply