କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

1 min read

ୱାଶିଂଟନ୍: ମହାମାରୀ କରୋନା ଦୁନିଆକୁ କରାୟତ୍ତ କରି ରଖିଥିବା ବେଳେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ଆମେରିକା ବୈଜ୍ଞାନିକଙ୍କ ଅନୁଯାୟୀ, ଇବୋଲାକୁ ଶେଷ କରିବା ପାଇଁ ତିଆରି କରାଯାଇଥିବା ରେମଡେସିବିର କରୋନା ଭୂତାଣୁ ଆକ୍ରାନ୍ତଙ୍କ ଉପରେ ପ୍ରଭାବ ପକାଉଛି । ଆମେରିକୀୟ ବୈଜ୍ଞାନିକଙ୍କ ଏହି ଘୋଷଣା ସାରା ଦୁନିଆମୁହଁରେ ଭରିଛି ଆଶାର ନୂଆ କିରଣ ।

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ରେମଡେସିବିର ଔଷଧ ବ୍ୟବହାର ସକରାତ୍ମକ ପ୍ରତିକ୍ରିୟା ଦେଇଛି । ଆକ୍ରାନ୍ତ ଠିକ୍ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡକ୍ଟର ଏନ୍ଥନି ଫାଉସି କହିଛନ୍ତି । ରେମଡେସିବିର ଔଷଧକୁ ଆମେରିକା, ୟୁରୋପ ଓ ଏସିଆର ୬୮ଟି ସ୍ଥାନରେ ୧୦୬୩ ଜଣ ଆକ୍ରାନ୍ତଠାରେ ପରୀକ୍ଷଣ କରାଯାଇଛି । ପରୀକ୍ଷଣରୁ ଜଣାପଡ଼ିଛି ‘ରେମଡେସିବିର କରୋନା ଭାଇରସକୁ ରୋକିପାରିବ’ ।

ଅନ୍ୟପଟେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଲର୍ଜି ଆଣ୍ଡ ଇନ୍ଫେକ୍ସନିୟସ୍ ଡିଜିଜ୍ ଔଷଧର ପରୀକ୍ଷଣ ପରିଣାମକୁ ନେଇ ଗଭୀର ଭାବେ ଅନୁସନ୍ଧାନ କରୁଛି । ଏଥିରୁ ଜଣାପଡ଼ିଛି ରେମଡେସିବିର ପ୍ରୟୋଗ ଦ୍ୱାରା ୧୫ ଦିନରେ ଠିକ୍ ହେବାକୁ ଥିବା ଆକ୍ରାନ୍ତ ୫ ଦିନରେ ଠିକ୍ ହୋଇଯାଉଛନ୍ତି ।

କିଏ କରିଥିଲା ତିଆରି ?

ଇବୋଲା ମହାମାରୀ ବେଳେ ରେମଡେସିବିରକୁ ପ୍ରସ୍ତୁତ କରିଥିଲା ଆମେରିକାର ବାୟୋଫାର୍ମସ୍ୟୁଟିକାଲ କମ୍ପାନୀ ଗିଲିୟଡ ସାଇନ୍ସେଜ୍ । କିନ୍ତୁ, କ୍ଲିନିକାଲ୍ ଟ୍ରାଏଲ ବେଳେ ଆଫ୍ରିକାରେ ନିରାଶାଜନକ ଫଳାଫଳ ମିଳିଥିଲା । ଏଥିପାଇଁ ରେମଡେସିବିରକୁ କୌଣସି ରୋଗର ଚିକିତ୍ସା ପାଇଁ ଅନୁମୋଦନ କରାଯାଇନାହିଁ । ଗିଲିୟଡ୍ ମୁତାବକ, ରେମଡେସିବିର ଏପର୍ଯ୍ୟନ୍ତ ଆମେରିକା ଅବା ଦୁନିଆର କୌଣସି ଦେଶରେ ବ୍ୟବହାର ପାଇଁ ଅନୁମୋଦିତ ହୋଇନାହିଁ ।

ବଢ଼ା ଯାଉଛି ଉତ୍ପାଦନ

ଗିଲିୟଡ୍ ସାଇନ୍ସେଜର ପ୍ରବକ୍ତ ରୟାନ ମୈକକେଲଙ୍କ ଅନୁସାରେ, ସରକାର ରେମଡେସିବିରକୁ ନେଇ କଣ କରିବେ ଆମକୁ ଜଣାନାହିଁ । କିନ୍ତୁ, ଆମେ କୋଭିଡ୍-୧୯ ଚିକିତ୍ସାରେ ରେମଡେସିବିରର ଉପଯୋଗ ଓ ପରୀକ୍ଷଣ ଫଳକୁ ଆଶାତୀତ ଅଛୁ । ଏବେ ରେମଡେସିବିରର ଉତ୍ପାଦନକୁ ବୃଦ୍ଧି କରାଯାଇଛି । ଯଦି, ତୁରନ୍ତ ଆବଶ୍ୟକତା ପଡ଼େ ତାହାଲେ ଉପଲବ୍ଧ କରାଇପାରିବୁ ।

ଚୀନରେ ପରୀକ୍ଷଣ ଫେଲ୍

ରେମଡେସିବିର ପରୀକ୍ଷଣ ଚୀନରେ କରାଯାଇଛି । ତେବେ, କୋଭିଡ୍-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ସେଭଳି ସକରାତ୍ମକ ପ୍ରତିକ୍ରିୟା ଦେଖାଇନାହିଁ । ଏହି ରିପୋର୍ଟ ଜର୍ନାଲ ଲେନ୍ସେଟରେ ପ୍ରକାଶିତ ହୋଇଛି । କିନ୍ତୁ, ଅଧ୍ୟୟନରେ କୁହାଯାଇଥିଲା ରେମଡେସିବିର ଅନ୍ୟ ସ୍ଥାନରେ ଅଲଗା ଲୋକଙ୍କ ଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଚୀନରେ ରେମଡେସିବିରର କୌଣସି ପ୍ରଭାବ ପଡ଼ିନଥିଲା ।

ପ୍ଲେସିବୋ କଣ ?

ଅଧ୍ୟୟନକାରୀଙ୍କ ଅନୁସାରେ, ରେମଡେସିବିର ଦିଆଯାଇଥିବା ୮ ପ୍ରତିଶତ ଲୋକଙ୍କୁ ବଞ୍ଚାଯାଇ ପାରିବନାହିଁ । ପ୍ଲେସିବୋ ଦିଆଯାଇଥିବା ୧୧ ପ୍ରତିଶତ ଆକ୍ରାନ୍ତ ମଧ୍ୟ ବଞ୍ଚି ନାହାଁନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥାଇ ଠିକ୍ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସାକୁ ପ୍ଲେସିବୋ କୁହାଯାଏ । ଉଦାହରଣ- ଯେତେବେଳେ କେହି କୌଣସି ରୋଗକୁ ନେଇ ଡାକ୍ତରଙ୍କୁ ଦେଖାଏ ଏବଂ ଯାଞ୍ଚ ବେଳେ କିଛି ମିଳେନାହିଁ ସେତେବେଳେ ତାଙ୍କୁ ମିଠା ବଟିକା ଦିଆଯାଏ । ଏମିତିରେ ଆକ୍ରାନ୍ତ ଭାବନ୍ତି ତାଙ୍କୁ ଡାକ୍ତର ଠିକ୍ ଔଷଧ ଦେଇଛନ୍ତି । ଇଚ୍ଛାଶକ୍ତି ମଜଭୁତ୍ ଥିବାରୁ ସେ ଠିକ୍ ହୋଇଯାଆନ୍ତି । ଏହାକୁ ପ୍ଲେସିବୋ ଚିକିତ୍ସା କୁହାଯାଏ ।

Leave a Reply