spot_img

Latest Posts

ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ: ଶୀତରେ ଥରି ଥରି ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି କୋମଳମତି ଛାତ୍ର

ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ । ଶୀତରେ ଥରି ଥରି ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି ୪୦ କୋମଳମତି ଛାତ୍ର । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ବିକଳ ଚିତ୍ର । ବିଦ୍ୟାଳୟଟି ବହୁ ପୁରାତନ ହୋଇଥିଲେ ସୁଦ୍ଧା ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ବିଦ୍ୟାଳୟରେ ୧୯୮୯ ମସିହାରୁ ପରିଚାଳିତ ହୋଇଆସୁଛି ମଙ୍ଗଳ ବିଭାଗର ୪୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ । ଦୂର ଦୂରାନ୍ତରୁ ଆସି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଆଦିବାସୀ ଛାତ୍ରମାନଙ୍କ ପାଇଁ ଏଠାରେ ରହିବା ଖାଇବାର ବ୍ୟବସ୍ଥା ରହିବା କଥା । ହେଲେ ଏଠାରେ ନା ଅଛି ଛାତ୍ରାବାସ ନା ରହିଛି ଆନୁସଙ୍ଗିକ ବ୍ୟବସ୍ଥା । ଫଳରେ ଯେଉଁ ଶ୍ରେଣୀରେ ପାଠପଢୁଛନ୍ତି ସେଇଠି ଖାଲି ଚଟାଣରେ ରାତି ବିତାଉଛନ୍ତି ପିଲା । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଶ୍ରେଣୀଗୃହର ଝରକା କବାଟ ବି ଭଲ ନାହିଁ । ବର୍ଷବର୍ଷ ଧରି ପିଲା ଖରା ବର୍ଷା ଶୀତ କାକରରେ ତଳେ ଶୋଉଛନ୍ତି । ଖାଲି ସେତିକି ନୁହେଁ ପିଲାଙ୍କ ପାଇଁ ଗାଧୁଆ ଘର, ଶୌଚାଳୟ, ରୋଷେଇ ଘର ନଥିବାରୁ ଅନ୍ତେବାସୀଙ୍କ ପରିଚାଳନାରେ ବହୁ ଅସୁବିଧା ଉପୁଜୁଛି । ସୂଚନା ପ୍ରକାରେ ୪୦ ଜଣ ଅନ୍ତେବାସୀଙ୍କ ପାଇଁ ୨୦ ଟି ଖଟ ଶେଯ ମିଳିଛି । ଯାହା ଗୋଦାମ ଘରେ ଖତ ଖାଉଛି । ଏଥିସହ ଟିଭି, ଓ୍ବାସିଂ ମେସିନ, ଗ୍ରାଇଣ୍ଡର ଆଦି ସାମଗ୍ରୀ ଅବ୍ୟବହୃତ ହୋଇ ଗୋଦାମରେ ପଡ଼ି ରହିଛି । ଗୋଦାମ ହିଁ ଛାତ୍ରାବାସ ଅଧ୍ୟକ୍ଷଙ୍କ ରହଣି ସ୍ଥାନ ପାଲଟିଛି । ଅନ୍ୟପଟେ ଛାତ୍ରାବାସ ନିର୍ମାଣ ପାଇଁ ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଅନ୍ତେବାସୀଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳାରୁ ତାହା ଲକ୍ଷ୍ୟ ଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି- କେତେ ଦିନ ଏଭଳି ଅବହେଳାର ଶିକାର ହେଉଛି ଅନ୍ତେବାସୀ ? କେବେ ସେମାନଙ୍କ ସମସ୍ୟା ଦୂର ହେଉଛି ? ତାକୁ ହିଁ ଅପେକ୍ଷା ।

Latest Posts

Don't Miss