ଜାଲ ସାର୍ଟିଫିକେଟ ଦେଇ ଚାକିରି: ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ତାତିଲେ ଛାତ୍ରଛାତ୍ରୀ । ଜାଲ ଭିନ୍ନକ୍ଷମ ସାର୍ଟିଫିକେଟରେ ଚାକିରି କରିଥିବା ଅଧ୍ୟକ୍ଷଙ୍କୁ ହଟାଇବା ଦାବିରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଉତ୍ତକ୍ତ ଛାତ୍ରଛାତ୍ରୀ । ହୋହାଲ୍ଲା ନାରାବାଜିରେ କମ୍ପିଛି କଲେଜ ପରିସର । ଏପଟେ ଜାଲ ସାର୍ଟିଫିକେଟ ଘଟଣାରେ ଉପ ଜିଲ୍ଲାପାଳ ଓ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି ।
କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇଛି ମହାବିଦ୍ୟାଳୟ । ମୁଖ୍ୟ ଫାଟକରେ ତାଲା ପକାଇ ହୋହଲ୍ଲା ନାରାବାଜି କରିଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ଗୋଟିଏ ଜିଦ୍ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁଙ୍କ ତୁରନ୍ତ ବହିଷ୍କାର କରାଯାଉ ।
କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ବିଭିନ୍ନ ସମୟରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ବି ଅଭିଯୋଗ ହୋଇଛି । ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ଆସିଥିବା ଅନୁଦାନ ଅର୍ଥରେ ବି ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ଯଦି ଅଧ୍ୟକ୍ଷ ଚିତ୍ତରଞ୍ଜନ ଭିନ୍ନକ୍ଷମ, ତେବେ ତାଙ୍କର ନାଁରେ ଡ୍ରାଇଭିଙ୍ଗ ଲାଇସେନ୍ସ କିଭଳି ରହିଲା ? ସେ ବାଇକ ଓ କାର କିଭଳି ଚଳାଉଛନ୍ତି ବୋଲି ପ୍ରଶ୍ନ ଉଠାଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଏନେଇ ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ଢେଙ୍କାନାଳ ଉପ ଜିଲ୍ଲାପାଳ ଏହାର ତଦନ୍ତ କରିଛନ୍ତି । ତେବେ ପଚରାଉଚରା ବେଳେ କଲେଜ ଅଧ୍ୟକ୍ଷ କୌଣସି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ପାରି ନଥିବା ଜଣାପଡିଥିଲା । ଯାହାକୁ ନେଇ କଲେଜ ଛାତ୍ରଙ୍କ ମଧ୍ୟରେ ପୁଣି ଅସନ୍ତୋଷ ପ୍ରକାଶ ପାଇଥିଲା । ଏପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଆଞ୍ଚଳିକ ନିର୍ଦ୍ଦେଶକ ଘଟଣା ସ୍ଥଳରେ ପହଞ୍ଚି ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡନାୟକ ଓ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁଙ୍କୁ ଅଲଗା ଅଲଗା ପଚରାଉଚରା କରିଛନ୍ତି ।