ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବହେଳା ପାଇଁ କଟା ହେଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଅଙ୍ଗୁଳି

କେନ୍ଦ୍ରାପଡ଼ା: ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବହେଳା ପାଇଁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଅଙ୍ଗୁଳି କାଟିବାକୁ ପଡିଛି । ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତମାସ ୩୧ ତାରିଖ ଦିନ ବିଦ୍ୟାଳୟକୁ କିଆରବାଙ୍କ ଗାଁର ତପନ ମଲ୍ଲିକଙ୍କ ୬ବର୍ଷର ପୁଅ ଶାଶ୍ଵତ ଗଣେଶ ପୂଜା କରିବାକୁ ଯାଇଥିଲେ । ବିଦ୍ୟାଳୟରେ ଖେଳକୁଦ କରୁଥିବା ସମୟରେ କବାଟରେ ଶାଶ୍ଵତଙ୍କର ବାମହାତର ବିଶି ଆଙ୍ଗୁଳି ଚାପି ହୋଇଯାଇଥିଲା।

ବିଦ୍ୟାଳୟର ଶିକ୍ଷକ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ବ୍ୟାଣ୍ଡେଜ୍ କରି ଆସିଥିଲେ । ଦୁଇଦିନ ପରେ ଶାଶ୍ଵତଙ୍କ ହାତ ବିନ୍ଧା ଛିଟିକା ହେବାରୁ ତାଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଶାଶ୍ଵତଙ୍କ ଆଙ୍ଗୁଠିଟି ସେପଟିକ୍ ହୋଇଯାଇଥିବାରୁ ଆଙ୍ଗୁଠିକୁ କାଟିବାକୁ ପଡିଛି। ଏନେଇ ଶାଶ୍ଵତଙ୍କ ବଡ଼ବାପା ବିପିନ ମଳିକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଚିକିତ୍ସାର ସୁବ୍ୟବସ୍ଥା ସହିତ ଦୋଷୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲିଖିତ ଅଭିଯୋଗ କରିଛନ୍ତି।