କୋଟାରେ ବିଷାକ୍ତ ଗ୍ୟାସ ଲିକ୍, ୧୬ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

କୋଟା: କୋଟାରୁ ଆସିଲା ପୁଣି ଅଭାବନୀୟ ଘଟଣା । ଏଥର ଛାତ୍ର ଆତ୍ମହତ୍ୟା ନୁହେଁ । ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଫଳରେ ୧୬ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଜେଇଇ ପ୍ରସ୍ତୁତିର ହବ୍ କୋଟାର ସିମଲିଆ ଅଞ୍ଚଳର ଏକ କେମିକାଲ ପ୍ଲାଣ୍ଟରୁ ଏହି ଗ୍ୟାସ୍ ନିର୍ଗତ ହୋଇଥିଲା । ଚମ୍ବଲ ଫର୍ଟିଲାଇଜର୍ସ ଆଣ୍ଡ କେମିକାଲ ଲିମିଟେଡ୍ ପ୍ଲାଣ୍ଟରୁ ନିର୍ଗତ ହୋଇଥିଲା ଆମେନିଆ ଗ୍ୟାସ୍ । ଏହାର ପାଖରେ ଏକ ସ୍କୁଲ ଥିଲା । ତେଣୁ ଅନେକ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ ।

ଏପରିକି ସ୍କୁଲର ଦୁଇ ଜଣ କର୍ମଚାରୀ ଓ ପାଖ ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କୋଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗାଁ ଲୋକେ କହିଛନ୍ତି, ଦିନ ପ୍ରାୟ ୧୧ଟାରେ ଗ୍ୟାସ୍ ଲିକ୍ ହୋଇଥିଲା । ପରେ ପରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ ପିଲାମାନେ । କେତେକ ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ସେହି ଫ୍ୟାକଟ୍ରିରେ ୟୁରିଆ ସାର ପ୍ରସ୍ତୁତ ହୁଏ । ସ୍କୁଲକୁ ଯାଇ ଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ନଜର ପକାନ୍ତୁ