ମାଟ୍ରିକ୍ ରେଜଲ୍ଟ: ୧୧ରୁ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

1 min read

କଟକ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ତେବେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ।

ଚଳିତ ବର୍ଷ ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ତେବେ ଏହା ସତ୍ତ୍ୱେ ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ । ଜୁଲାଇ ୧୧ରୁ ଅନଲାଇନରେ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।