ନନ୍ଦିଘୋଷ ବ୍ୟୁରୋ: ୪ କିଲୋମିଟର ଚାଲି ଚାଲି ଆସିଲେ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ତଳେ ବସିଲେ ଆଉ ପାଠ ପଢିଲେ ଛାତ୍ରଛାତ୍ରୀ। ବିଦ୍ୟାଳୟ କୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଏହି ଚିତ୍ର ସାମ୍ନାକୁ ଆସିଛି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରୁ। ଗୋପବନ୍ଧୁନଗର ବ୍ଲକ ପୁରଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୦ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ହେଲେ ପୂର୍ବରୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ନେଇ ଆନ୍ଦୋଳନ କରିବା ପରେ ତିନି ଗୋଟି ଅସ୍ଥାୟୀ ଶ୍ରେଣୀ ଗୃହ ତିଆରି କରାଯାଇଥିଲା। କିନ୍ତୁ ଆସନ୍ତାକାଲି ଉକ୍ତ ବିଦ୍ୟାଳୟ ଭଙ୍ଗା ଯିବା ନେଇ ବିଦ୍ୟାଳୟକୁ ନୋଟିସ ଆସିବା ପରେ ତାତିଛନ୍ତି ଛାତ୍ରଛାତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ୪ କିଲୋମିଟର ଚାଲି ଚାଲି ଆସି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ନିକଟରେ ପହଞ୍ଚିଥିଲେ। ଶିବିର ନିକଟରେ ପହଂଚିବା ପରେ ଭିତରେ ଜିଲ୍ଲା ଅଭିଯୋଗ ଶୁଣାଣି କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଶିବିର ବାହାରେ ବସି ବହି ଖୋଲି ପାଠ ପଢିଥିଲେ। ବିଦ୍ୟାଳୟ ଭାଙ୍ଗିଦେଲେ ଆମେ କେଉଁଠି ପଢ଼ିବୁ ବୋଲି କହିବା ସହିତ ଆମ ବିଦ୍ୟାଳୟ ଭାଙ୍ଗିବା ନ ଅଟକିଲେ ଆମେ ରାଜରାସ୍ତାରେ ପାଠ ପଢ଼ିବୁ ବୋଲି କହିଛନ୍ତି ଆନ୍ଦୋଳନ ରତ ଛାତ୍ର ଛାତ୍ରୀ।

