କ୍ୟାମ୍ପସ୍‌ରେ କରୋନାକୁ ନେଇ ଛାତ୍ର ଅଶାନ୍ତି, ଅଫ୍‌ଲାଇନ୍‌ ପରୀକ୍ଷା ବନ୍ଦ ଦାବିରେ ଆନ୍ଦୋଳନ

କଟକ: କରୋନା ସଂକ୍ରମଣକୁ ନେଇ ଛାତ୍ର ଅଶାନ୍ତି । କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲରେ କରୋନା ସଂକ୍ରମଣ ପରେ ଛାତ୍ର ଅଶାନ୍ତି ଦେଖାଯାଇଛି । ସ୍କୁଲର କିଛି ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ପରେ ସ୍କୁଲକୁ ସାନିଟାଇଜ୍ କରାଯାଇ ନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସ୍କୁଲର ଫାଟକ ସମ୍ମୁଖରେ ଟାୟାର ଜାଳି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍କୁଲର ଅଧ୍ୟକ୍ଷ ଜ୍ଞାନରଂଜନ ରାୟ କହିଛନ୍ତି ଲକ୍ଷଣ ଥିବା ୪୦୦ ପିଲାଙ୍କ ଟେଷ୍ଟିଂ ହୋଇଥିଲା । ଏଥିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏସ୍‌ଓପି ଅନୁଯାୟୀ ସ୍କୁଲରେ ପରୀକ୍ଷା କରାଯିବ । ପରୀକ୍ଷା ଅନ୍‌ଲାଇନ୍‌ ହେବ କି ନାହିଁ ତାହା କାଉନସିଲ ନିଷ୍ପତ୍ତି ନେବେ ।

ସେହିଭଳି ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଛାତ୍ର ଉତ୍ତେଜନା ଦେଖାଯାଇଛି । ପରୀକ୍ଷା ଚାଲିଥିବା ବେଳେ ଚାରିଦିନ ତଳେ ସ୍କୁଲରୁ ୯ ଛାତ୍ରଛାତ୍ରୀ ଓ ୧୩ କର୍ମଚାରୀଙ୍କୁ ମିଶାଇ ୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଥିରୁ ସ୍ପଷ୍ଟ ଯେ ସ୍କୁଲକୁ ଆସି ପିଲାମାନେ ପରୀକ୍ଷା ଦେବା ନିରାପଦ ନୁହେଁ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିରେ ହସ୍ତକ୍ଷେପ କରି ଅଫଲାଇନ୍ ପରୀକ୍ଷାକୁ ବାତିଲ କରାଯାଉ ବୋଲି ଦାବି କରି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ଶନିବାର ଇଞ୍ଜିନିୟରିଂ ସ୍କୁଲରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଦ୍ୱିତୀୟ ଓ ପଞ୍ଚମ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଫ୍‌ଲାଇନରେ କରାଯାଉଛି । ହେଲେ କରୋନା ଟେଷ୍ଟିଂ ରିପୋର୍ଟ ଆସି ନଥିବାରୁ ଭୟଭୀତ ହୋଇ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ବାତିଲ କରି ଅନଲାଇନରେ ପରୀକ୍ଷା ଓ ପାଠ ପଢାଇବା ପାଇଁ ଦାବି କରିଛନ୍ତି । ତେବେ ଏନେଇ ସ୍କୁଲ ଅଧ୍ୟକ୍ଷା କହିଛନ୍ତି ଯେ, କରୋନା ପଜିଟିଭ ନଥିଲେ ରିପୋର୍ଟ ଦିଆଯାଏନାହିଁ । ତେଣୁ ଆମକୁ ଅଯଥାରେ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେହିଭଳି ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ସମ୍ମୁଖରେ ମଧ୍ୟ ଛାତ୍ରଛାତ୍ରୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧରଣାରେ ବସିଛନ୍ତି । ସେମାନେ ମଧ୍ୟ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ ଚାଲିଥିବା ବେଳେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ରାଉରକେଲା ଏନ୍‌ଆଇଟିରେ ମଧ୍ୟ କରୋନା ସଂକ୍ରମଣକୁ ନେଇ ଅସନ୍ତୋଷ ଦେଖାଯାଇଛି । ସଂକ୍ରମଣ ବଢ଼ୁଥିବାରୁ ଏନ୍‌ଆଇଟିରେ ଟେଷ୍ଟିଂ ସଂଖ୍ୟା ବଢ଼ାଯାଇଛି । ପଜିଟିଭ୍‌ ଚିହ୍ନଟେ ହେଲେ ତୁରନ୍ତ ପଦକ୍ଷେପ ନିଆଯାଉଛି । ଏହାସହ କରୋନା ନେଗେଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଅନ ଲାଇନରେ ପରୀକ୍ଷା କରିବା ଦାବି କରି ରାଉରକେଲା ସହରର ଦୁଇଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ମଙ୍ଗଳବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି ।

Leave a Reply